
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସବୁ ଗୁମର ଖୋଲିବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଶୁକ୍ରବାର ବିଭିନ୍ନ ଗଣମାଧ୍ୟମକୁ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ରମେଶ କହିଛନ୍ତି ଯେ ଦିନ ଥିଲା ମୋ ମା’କୁ ସେ କନ୍ଦାଇଥିଲେ । ମୋ ନାଁରେ ୫୪ ମିଛ କେଶ୍ ଦେଇଥିଲେ । ସେତେବେଳେ ସେ ବିଧାୟକ ନ ଥିଲେ, ଖାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିଲେ । ପରେ ସେ ବିଧାୟକ ହେଲେ, ମନ୍ତ୍ରୀ ହେଲେ । ଏହି ସମୟ ଭିତରେ ସେ କ’ଣ କରିଛନ୍ତି ମୁଁ ସବୁ ଜାଣିଛି ।
ଆସନ୍ତା ୬ ତାରିଖରେ ଏହା ଉପରେ ଗଞ୍ଜାମରେ ପ୍ରେସ ମିଟ୍ ଡ଼ାକିବି । ତାଙ୍କର ଲମ୍ବା ଇତିହାସର ଚିଠା ସେଇଠି କହିବି । ତାଙ୍କୁ ବହୁ ଆଗରୁ ଗିରଫ କରିବାର ଥିଲା, ମାତ୍ର ବହୁ ବିଳମ୍ବରେ ସରକାର ତାଙ୍କୁ ଗିରଫ କଲେ ବୋଲି ରମେଶ କହିଛନ୍ତି ।
ସେ ପୁଣି କହିଛନ୍ତି ଯେ ପାଣିଗ୍ରାହୀ ବାବୁ ଆଉ ସରକାରଙ୍କ ଚାପରେ ମୋ ନାଁରେ ୫୪ ମିଛ କେଶ୍ ଦିଆଗଲା । ୩ ବର୍ଷ କାଳ ମୁଁ ଜେଲରେ ରହିଲି । ହେଲେ ଲୋକ ମୋତେ ଭଲ ପାଉଥିଲେ, ଦଳ ମୋ ସାଥୀରେ ଥିଲା । ସେଥିପାଇଁ ଜେଲରୁ ଫେରିବା ପରେ ବି ଲୋକମାନେ ମୋତେ ଜିତାଇଲେ ।
ଆଉ ଏବେ ପାଣିଗ୍ରାହୀ ବାବୁଙ୍କ ସାଥୀରେ ନାଁ ତାଙ୍କ ଦଳ ଅଛି ନାଁ ତାଙ୍କ ସାଥୀରେ ଲୋକ ଅଛନ୍ତି । ସେ ଯାହା କରିଛନ୍ତି ସବୁ ମୁଁ କହିବି ବୋଲି କହିଛନ୍ତି ବିଧାୟକ ରମେଶ ଜେନା ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି।