Dr. Sudhanshu Sarangi Ex-Commissioner of Police

ଛୋଟଗାଡି଼ଆର ବଡ ମାଛ…

Odisha News
Reading Time: 3 minutes

ଛୋଟଗାଡିଆରେ ବଡ ମାଛ ହେବା ଭଲ ନା ବଡଗାଡିଆରେ ଛୋଟମାଛ ହେବାଭଲ?

ସବୁ ଅଭିଭାବକ ଇଛା କରନ୍ତି ତାଙ୍କ ପିଲାଏ ବଡ, ନାମୀ ସ୍କୁଲରେ ପାଠ ପଢନ୍ତୁ । ବଡ କଲେଜକୁ ଯାଆନ୍ତୁ, ଆଇ.ଆଇ.ଟି ରେ ପଢନ୍ତୁ। ସମସ୍ତଙ୍କ ଇଛା ବଡଗାଡିଆରେ ପଶିବାକୁ । ତେବେ ଯେଉଁମାନେ ଗାଁ ଗହଳୀରେ ଥିବା ଛୋଟ ସ୍କୁଲରେ ପଢୁଛନ୍ତି ବା ନାମୀ କଲେଜକୁ ନ ଯାଉଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ?

ମୁଁ ଏଗାର ବର୍ଷର ସ୍କୁଲ ପାଠ ବାରଟି ଜାଗାରେ ପଢିଲି । ତୃତୀୟ ଶ୍ରେଣୀରେ ଢେଙ୍କାନାଳ ଜିଲ୍ଳାର ଗୋଟିଏ ଛୋଟ ଗାଁ ବେଲଟିକିରିରେ ପଢୁଥିଲି, ଆମ ଗାଁ ଠାରୁ ଦୁଇ କଲୋମିଟର ଦୂର। ଗାଁ ରେ ବିଜୁଳି ଆଲୁଅ ନଥିଲା। ସନ୍ଧ୍ୟାହେଲେ ଲଣ୍ଠଣ ଜଳୁଥିଲା ବା ଡିବିରି । ଖାଲି ପାଦରେ ପିଚୁ ସଡକରେ ଚାଲିଲା ବେଳକୁ ପାଦ ତାତି ଯାଉଥିଲା। ନବମ ଶ୍ରେଣୀରେ (ଅଷ୍ଟମ ସିନିୟର) ମାଲକାନଗିରିର ଚିତ୍ରକୋଣ୍ଡା ହାଇସ୍କୁଲରେ ପଢୁଥିଲା ବେଳେ, ଆମ ଶ୍ରେଣୀରେ ଥିଲେ ଚାଳିଶ ଛାତ୍ରଛାତ୍ରୀ, ପୁରା ସ୍କୁଲରେ ଦେଢଶହ। ସେ ବର୍ଷ ଶ୍ରେଣୀରେ ପ୍ରଥମ ହୋଇଥିଲି,ବାର୍ଷିକ ଉତ୍ସବରେ ସତରଟି ପୁରସ୍କାର ପାଇ ସ୍କୁଲର ଶ୍ରେଷ୍ଠ ଛାତ୍ର ବି ହେଲି। ଇଏ ହେଲା ଛୋଟ ପୋଖରୀରେ ବଡମାଛର କାହାଣୀ । କୌଣସି ଅନାମଧେୟ ସ୍କୁଲରେ ଚାଳିଶ ପିଲାଙ୍କ ଭିତରେ ପ୍ରଥମ ।

ଅଭିଭାବକ ଭାବୁଛନ୍ତି ତାଙ୍କ ପିଲାଏ ବଡ ସ୍କୁଲକୁ ଯାଇ ମୂଳରୁ ଭଲ ଛାତ୍ରଛାତ୍ରୀଙ୍କ ସାଙ୍ଗରେ ପ୍ରତିଯୋଗିତା କରନ୍ତୁ। ସେମାନଙ୍କ ଚିନ୍ତା ଯଦି ତାଙ୍କ ପିଲା ଛୋଟ ଗାଡିଆରେ ରହିଯିବ ତେବେ ପରବର୍ତ୍ତି ପର୍ଯ୍ୟାୟରେ ଯେତେବେଳେ ବଡ ପୋଖରୀକୁ ପଶିବ ସେତେବେଳେ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରିବ ନାହିଁ। ପୃଥିବୀ ଗୋଟିଏ ବଡ ପୋଖରୀ, ତେଣୁ ମୂଳରୁ ବଡ ପୋଖରିରେ ଅଭ୍ୟାସ କଲେ ସଫଳତାର ସୁଯୋଗ ଅଧିକ। ସେଥିପାଇଁତ ପିଲା ଜନ୍ମହେଲାବେଳକୁ ତାକୁ ଆଇ.ଆଇ.ଟି ରେ ପ୍ରବେଶ କରାଇବାକୁ ସ୍ବପ୍ନ ଦେଖାଯାଏ,ଉଦ୍ୟମ ବି ଆରମ୍ଭ ହୁଏ । ଏଭଳି ଚ଼ନ୍ତାଧାର ଭିତରେ ଛୋଟପୋଖରୀ ଓ ସେଥିରେ ରହୁଥିବା ବଡ ମାଛଙ୍କର ଭବିଷ୍ୟତ କ’ଣ?
ଚିତ୍ରକୋଣ୍ଡାର ଛୋଟ ପୋଖରୀରୁ ଯେତେବେଳେ ଆସି ଢେଙ୍କାନାଳ ବ୍ରଜନେଥା ବଡଜେନା ଉଚ୍ଚ ବିଦ୍ୟାଳାୟରେ ପହଞ୍ଚିଲି, ମୋତ ଲାଗିଲା ଯେ ସତ୍ତା ହରାଇବି, ପ୍ରତିଯୋଗୀତାର ସମ୍ମୁଖୀନ ହୋଇ ପାରିବିନାହିଁ। ବ୍ରଜନେଥା ବଡଜେନା ଉଚ୍ଚ ବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ, ବଡ ଏବଂ ଉତ୍କୃଷ୍ଟ ଜିଲ୍ଳା ସ୍କୁଲ । କିନ୍ତୁ ପନ୍ଦର ଦିନ ଭିତରେ ବୁଝିଲି ଛୋଟ ପୋଖରୀରେ ବଡ ମାଛ ହୋଇ ଯାହା ଶିଖିଛି ତାହା ବଡ ପୋଖରୀରେ ବଞ୍ଚିବା ପାଇଁ ଓ ପହଁରିବା ପାଇଁ ଯଥେଷ୍ଟ। ଛୋଟ ପୋଖରି ଯୋଗୁଁ ମୁଁ ଜିତିବା ଶିଖିଥିଲି, ଆତ୍ମବିଶ୍ବାସ ପାଇଥିଲି। ହୁଏତ ମୁଳରୁ ବଡ ପୋଖରୀରେ ଥିଲେ ବଡ ମାଛ ନୂହେଁ, ଛୋଟ ମାଛ ଭାବେ ବଞ୍ଚିବା ଶିଖି ଥାଆନ୍ତି । ତେଣୁ ବାସ୍ତବ ଭାବେ ଦେଖିଲେ, ଛୋଟ ପୋଖରୀଟି ବଡ ଉପାଦେୟ ହୋଇଥିଲା ଏବଂ ହୁଏତ ବଡ ପୋଖରୀ ହାନୀକାରକ ବି ହୋଇପାରିଥାଆନ୍ତା।

ସେଥିପାଇଁ ଏହି ଛୋଟ ଛୋଟ ପୋଖରୀମାନଙ୍କରୁ ରାଷ୍ଟ୍ରଜ୍ଞ, ରାଜନେତା, ବୈଜ୍ଞାନିକ ସାହିତ୍ୟିକ, ପ୍ରଶାସକ ଅତୀତରେ ସୃଷ୍ଟି ହୋଇଛନ୍ତି, ଭବିଷ୍ୟତରେ ବି ହେବେ। ବ୍ରଜନେଥା ବଡଜେନା ସ୍କୁଲରେ ଥାଅନ୍ତି ୨୦୦୦ ଛାତ୍ର ଛାତ୍ରୀ । ପ୍ରଧାନଶିକ୍ଷକ ସ୍ବର୍ଗତଃ ରୁଦ୍ରନାରାୟଣ ମିଶ୍ର, ଗୋପବନ୍ଧୁଙ୍କ ବନ ବିଦ୍ୟାଳୟର ଛାତ୍ର, ଗାନ୍ଧୀବାଦୀ । ବିଦ୍ୟାଳୟରେ ସବୁ ଜୟନ୍ତୀ ଉତ୍ସବ ପାଳନ ହୁଏ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଭାଷଣ ଦେବାକୁ ଡକାଯାଏ । ଯିଏ ତିରିଶ ଲୋକଙ୍କ ଆଗରେ ଭାଷଣ ଦେଇ ଶିଖିଥାଏ ତାକୁ ଦୁଇହଜାର ଲୋକଙ୍କ ଆଗରେ ଭାଷଣ ଦେବାରେ ସମସ୍ୟା ବା କ’ଣ? ଖାଲି ମାଇକ୍‌ରେ କହିବା ଶିଖିବାକୁ ହୁଏ । ଚିତ୍ରକୋଣ୍ଡାରେ ଅଳ୍ପପିଲାଙ୍କ ଭିତରେ ଭାଷଣ ଦେବା ଶିଖିଥିଲି, ଢେଙ୍କାନାଳରେ ସେହି ସମାନ ଭାଷଣ ଦବାକୁ ଆରମ୍ଭ କଲି ଏବଂ ଧୀରେ ଧୀରେ ବଡ ପୋଖରୀରେ ବି ବଡ ମାଛ ହୋଇଗଲି । ହୁଏତ ସିଧାସଳଖ ବଡ ପୋଖରୀରେ ପଶିଥିଲେ ଭାଷଣଦେବା ହିଁ ଶିଖି ପାରିନଥାନ୍ତି । ଏହି ଗାଁ ଗହଳିର ସ୍କୁଲରୁଯାଇ ବିଲାତରେ ସ୍ନାତକୋତ୍ତର ଓ ମନସ୍ତତ୍ତ୍ବ ବିଜ୍ଞାନ ଭଳି କଷ୍ଟ ବିଷୟରେ ପି.ଏଚ.ଡି କଲି।

ମାଲକମ୍‌ ଗ୍ଳାଡୱେଲ୍‌ଙ୍କ ପରିସଂଖ୍ୟାନ ଅନୁଶାରେ ବଡ ବିଶ୍ବବିଦ୍ୟାଳୟର ଛୋଟ ମାଛଙ୍କ ଠାରୁ ଛୋଟ ବିଶ୍ବବିଦ୍ୟାଳୟର ବଡ ମାଛ ଅଧିକ ସଫଳ ହୁଅନ୍ତି । ହୁଏତ ଏହା ହୋଇପାରେ ଯେ ବଡ ପୋଖରୀରୁ ବାହାରୁଥିବା ମାଛଙ୍କର ଆରମ୍ଭ ସହଜ ହୋଇପାରେ ବା ଭଲ ବ୍ରାଣ୍ଡିଂ ହୋଇପାରେ କିନ୍ତୁ ଜୀବନରେ ଛୋଟ ପୋଖରୀର ବଡ ମାଛମାନେ କିଛି କମ୍‌ ସଫଳ ହୁଅନ୍ତି ନାହିଁ । ଅଯଥାରେ ଅଭିଭାବକ ମାନେ ନିଜେ ଚାପରେ ରହିବା ଓ ପିଲାଙ୍କୁ ଚାପରେ ରଖିବାର କୌଣସି ଯଥାର୍ଥତା ନାହିଁ । ଛାତ୍ରଛାତ୍ରୀ ମାନେ ପଢି- ଲେଖିପାରିବା ଉଚିତ୍‌ । ମୌଳିକ କୌଶଳ ଥିଲେ ପୋଖରୀ ଛୋଟ ହେଉ ବା ବଡ ହେଉ ସେମାନେ ସହଜରେ ବଞ୍ଚି ରହିବେ । ପହଁରି ଶିଖିବା ଦରକାର, ତେଣିକି ପୋଖରୀ ଛୋଟ ହେଉ ବା ବଡହେଉ।

ଛୋଟ ପୋଖରୀର ବଡ ମାଛଙ୍କ ପାଇଁ କିଛି ସମସ୍ୟା ମଧ୍ୟ ହୁଏ । ପ୍ରଥମ ହେଲା ବଡ ମାଛ ହବାର ଔଦ୍ଧତ୍ୟ । ଗାଁର ସରପଞ୍ଚ ମଧ୍ୟ ନିଜକୁ ଆମେରିକାର ରାଷ୍ଟ୍ରପତି ଭଳି କ୍ଷମତାଶାଳୀ ମନେକରିବାର ଆଶଙ୍କା ରହିଛି । ଛୋଟ ବା ବଡ ହେବା ପୋଖରୀର ଆୟତନ ଉପରେ ନିର୍ଭର କରେ। ଦ୍ବିତୀୟ ସମସ୍ୟା ହେଲା ଥରେ ବଡ ମାଛଟିଏ ହୋଇଗଲେ ଛୋଟ ପୋଖରୀ ଛାଡିବାକୁ ଇଛା ହୁଏନି, ସାହାସ ପାଏନି । ସେହି ଛୋଟ ପୋଖରୀରେ ଜୀବନ କଟିଯାଏ । ଅନେକ ବଡ ମାଛତ ଛୋଟ ପୋଖରୀର ପଙ୍କରେ ଏମିତି ମିଶି ଯାଆନ୍ତି ଯେ, ଗୋଳିଆପାଣିରେ ଜୀବନ କାଟିଦିଅନ୍ତି । ଛୋଟ ପୋଖରୀ ଛାଡିବାକୁ ଛନକା ପଶେ। ତୃତୀୟ, ନୂଆ ପୋଖରୀରେ ପଶିବା ସହଜ ନୁହେଁ । ସେଠିଥିବା ବଡ ମାଛ ପଶାଇ ଦିଅନ୍ତି ନାହିଁ । ଏକାଠି ହୋଇ ଚକ୍ରାନ୍ତ କରନ୍ତି । ନାନା କାଳ୍ପନୀକ କାହାଣୀ ସୃଷ୍ଟି କରି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମାଛ ନାଁରେ କୁତ୍ସା ରଚନା କରନ୍ତି । ଶେଷ ସମସ୍ୟା ହେଲା ବଡ ମାଛର ଆକାର ବି ପୋଖରୀର ଆକାର ସାଙ୍ଗେ ଆପେକ୍ଷିକ । ଗାଁରେ ସରପଞ୍ଚ ହେବା ଓ ଆମେରିକାର ରାଷ୍ଟ୍ରପତି ହେବା ସମାନ ଆକାରର ମାଛର ପ୍ରତିଫଳନ ନୁହେଁ । ତେଣୁ ଅନେକ ସମୟରେ ଛୋଟ ପୋଖରୀର ବଡ ମାଛ ମାନଙ୍କୁ ଛୋଟ ପୋଖରୀରେ ହିଁ ଆବଦ୍ଧ କରି ରଖାଯାଏ । କାରଣ ସେମାନଙ୍କୁ ବଡ ପୋଖରୀକୁ ଛାଡିଲେ ଆପେକ୍ଷିକ ଆକାର ବଢିଯାଏ । ବଡ ପୋଖରୀରେ ପଶିବା ଓ ବଡ ପୋଖରୀରେ ବଡମାଛ ହେବା ସେଥିପାଇଁ ସହଜ ହୁଏ ନାହିଁ ।

ଯେଉଁ ସମାଜରେ ମେଧାକୁ ଉପଯୁକ୍ତ ସମ୍ମାନ ଦିଆଯାଏ ଓ ପ୍ରତିଷ୍ଠିତ ନୀତି ଅନୁସାରେ ପୋଖରୀ ମାନଙ୍କୁ ପ୍ରବେଶ ମିଳେ ସେହି ସମାଜ ଅଧିକ ଗତିଶୀଳ ଓ ସଫଳ ହୁଏ । ତେଣୁ ପ୍ରସଙ୍ଗ ବଡ ପୋଖରୀ ବା ଛୋଟ ପୋଖରୀର ନୁହେଁ, ପ୍ରସଙ୍ଗ ହେଲା ମେଧା ର, ତାହାହିଁ ଆଗୁଆ ଓ ପଛୁଆ ଦେଶମାନଙ୍କ ମଧ୍ୟରେ ପ୍ରଭେଦ । ଶିକ୍ଷାନୁଷ୍ଠାନ ଛୋଟ ବା ବଡ ହୋଇପାରେ । କିନ୍ତୁ ଯଦି ଛାତ୍ରଛାତ୍ରୀ ମୌଳିକ କୌଶଳ ଶିଖନ୍ତି ତେବେ ସଫଳ ହୁଅନ୍ତି ।

ଆମେ ନ ଭାବିବା ଉଚିତ୍‌ ଯେ ନିପଟ ମଫସଲରେ ଅନାମଧେୟ ସ୍କୁଲରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କର ମେଧା ନାହିଁ ବା ସୁଯୋଗ ମିଳିଲେ ସେମାନେ ସଫଳ ହେବେ ନାହିଁ । ଛୋଟ ପୋଖରୀରେ ବି ବଡ ମାଛ ଅଛନ୍ତି। 💐

ଡଃ ସୁଧାଂଶୁ ଷଡଙ୍ଗୀ
Ex-Commissioner of Police, Bhubaneswar-Cuttack

 

ରାଣୀଙ୍କ କାହାଣୀ: ମହାରାଣୀ ଗାୟତ୍ରୀ ଦେବୀ

Recommended For You

About the Author: Sonali Patnaik

Sonali Patnaik is majorly into secondary research and reports writing. She is an avid reader and reads a variety of novels, a music lover and a movie buff. She also loves to travel and fond of cooking experiments. She expresses her views on various topics and does so through her well-researched articles.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x