
ଓଁ ନମୋ ଭଗବତେ ବାସୁଦେବାୟ ।
ଏ ବିଶ୍ୱ ଯାହାର ଉଦରେ। ମୁଁ ତାକୁ କେମନ୍ତେ ଜଠରେ।
ଧଇଲି ବୁଝି ନ ପାରଇ। କେବଳ ତୋ ମାୟା ଗୋସାଇଁ।
ତୁ ଦୁଷ୍ଟ ନିବାରିବା ପାଇଁ। ସାଧୁ ରକ୍ଷଣେ ତୋର ଦେହୀ।
ଏଣୁ ତୁମର କଳେବର। ଅନ୍ୟଥା କି କାର୍ଯ୍ୟ ତୋହର।
ତୁମ୍ଭେ କୋଳାଦି ରୂପ ଧରି। ଧର୍ମ ସ୍ଥାପିଲ ଦୁଷ୍ଟ ମାରି।
ଏ ତତ୍ତ୍ଵ ଜ୍ଞାନ ଦେବାପାଇଁ। ଏ ରୂପ ଧଇଲ ଗୋସାଇଁ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ତୃତୀୟ ସ୍କନ୍ଧ,
ତ୍ରୟତ୍ରିଂଶ ଅଧ୍ୟାୟ )
ପ୍ରସଙ୍ଗ – କପିଳ ଦେବହୂତି ସମ୍ବାଦ ।
ଅର୍ଥ :-
ମାତା ଦେବହୂତି ଭଗବାନ କପିଳଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେଲାପରେ ତାଙ୍କୁ ଯୋଡ ହସ୍ତରେ ସ୍ତୁତି କରି କହିଲେ, ହେ ପ୍ରଭୁ ! ଏ ସାରା ବ୍ରହ୍ମାଣ୍ଡ ଯାହାର ଉଦରରେ ଅବସ୍ଥିତ ମୁଁ ତାଙ୍କୁ କିପରି ମୋ ଗର୍ଭରେ ଧରିଲି ସେକଥା ମୁଁ ବୁଝି ପାରୁନାହିଁ। ତେଣୁ ଏସବୁ କେବଳ ତୁମରି ମାୟା ପ୍ରଭୁ। ତୁମେ ଯୁଗେ ଯୁଗେ ଦୁଷ୍ଟଜନ ମାନଙ୍କର ବିନାଶ ଏବଂ ସାଧୁଜନ ମାନଙ୍କର ପରିତ୍ରାଣ ନିମନ୍ତେ ଏହି ସଂସାରରେ ନିଜ ଇଚ୍ଛାରେ ଶରୀର ଧାରଣ କରି ଜନ୍ମ ଗ୍ରହଣ କରିଥାଅ। ତା ନହେଲେ ଶରୀର ଧାରଣ କରିବାରେ ତୁମର ବା ଅନ୍ୟ କ’ଣ ଉଦ୍ଦେଶ୍ୟ ଅଛି ? ତୁମେ ବରାହ ଆଦି ଅବତାରରେ ଦୁଷ୍ଟ ମାନଙ୍କୁ ବିନାଶ କରି ଧର୍ମର ସ୍ଥାପନା କରିଅଛ। ମୋତେ ତତ୍ତ୍ୱଜ୍ଞାନ ପ୍ରଦାନ କରି ସାଂଖ୍ୟ ଯୋଗର ପ୍ରଚାର କରିବା ପାଇଁ ତୁମେ କପିଳ ରୂପରେ ଜନ୍ମଗ୍ରହଣ କରିଅଛ।
ଭାବାର୍ଥ :-
ଯେତେବେଳେ ଧର୍ମର ଗ୍ଳାନି ଓ ଅଧର୍ମର ଅଭ୍ୟୂଦୟ ହୁଏ ଦୁଷ୍ଟ ଜନ ମାନଙ୍କର ବିନାଶ ଓ ଭକ୍ତ ଜନମାନଙ୍କର ଉଦ୍ଧାର ନିମନ୍ତେ ଭଗବାନ ଯୁଗେ ଯୁଗେ ଅବତାର ଗ୍ରହଣ କରିଥାନ୍ତି। ତା ନହେଲେ ଅଶେଷ ବ୍ରହ୍ମାଣ୍ତ ଯାହାଙ୍କ ଭିତରେ ପୁରି ରହିଛି ସେହି ଦୟାମୟ ପ୍ରଭୁ ଶରୀର ଧାରଣ କରି ଜନ୍ମ ଗ୍ରହଣ ବା କରନ୍ତେ କାହିଁକି?ଭକ୍ତ ଜନମାନଙ୍କର ସୁରକ୍ଷା ଓ ଉଦ୍ଧାର ନିମନ୍ତେ ସେହି ଭକ୍ତବତ୍ସଳ ଭଗବାନ ଯୁଗେ ଯୁଗେ ବିଭିନ୍ନ ରୂପରେ ଜନ୍ମଗ୍ରହଣ କରିଥାନ୍ତି। ସଂସାରରେ ପ୍ରାଣୀ ମାନଙ୍କର ମଙ୍ଗଳ ପାଇଁ ସାଂଖ୍ୟ ଯୋଗର ପ୍ରଚାର କରିବା ନିମନ୍ତେ କପିଳ ରୂପରେ ଜନ୍ମଗ୍ରହଣ କରି ଭଗବାନ ମାତା ଦେବହୂତିଙ୍କୁ ତତ୍ତ୍ୱଜ୍ଞାନ ପ୍ରଦାନ କରିଥିଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ୩୧୦ ।
🌸☘️🌼🙏ଜୟ ଜଗନ୍ନାଥ🙏🌼☘️🌸