ଷଷ୍ଠୀପୁର୍ତ୍ତି: ପରମ୍ପରାର ଏକ ଦିବ୍ୟ ଝଲକ

Reading Time: 2 minutes

ଆମେ ସମସ୍ତେ ଏବେ ଗୋଟିଏ ଆଧୁନିକତାର ସ୍ରୋତରେ ଭାସି ଚାଲିଛେ l ଆମର ଦୈନନ୍ଦିନ ଜୀବନରେ ବିବାହ ବାର୍ଷିକୀ ଆଉ ଜନ୍ମଦିନର କେକ କଟାର ଅଭାବ ନାହିଁ l ସିଆଡେ ପରମ୍ପରା, ଚଳଣୀ, ରୀତିନୀତି ସବୁର ନାଁ ଲିଭି ଯାଉ ପଛେ କିଛି ପରବାୟ ନାହିଁ l ଆଧୁନିକତାର ଦ୍ୱାହି ଦେଇ ଆମେ ସମସ୍ତେ ସେଇ ଦିଗରେ ମୁହାଁଇଛେ l ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଭାରତରେ ହିନ୍ଦୁମାନଙ୍କର ଏକ ବଳିଷ୍ଠ ଆଧ୍ୟାତ୍ମିକ ପରମ୍ପରା ମନକୁ ଚାଲିଆସେ l ତାହା ହେଉଛି “ଷଷ୍ଠୀପୁର୍ତ୍ତି” l
“ଷଷ୍ଠୀପୁର୍ତ୍ତି” ଶବ୍ଦଟି ସଂସ୍କୃତରୁ ଉଦ୍ଧୃତ ଅଟେ l ଦୁଇଟି ସଂସ୍କୃତ ଶବ୍ଦ “ଷଷ୍ଠୀ” ଏବଂ “ପୂର୍ତ୍ତି” l ଆକ୍ଷରିକ ଅର୍ଥରେ ୬୦ ବର୍ଷର ପୂରଣ ବୋଲି ବୁଝାଯାଏ l ଦକ୍ଷିଣ ଭାରତରେ ତାମିଲ୍‌ ହିନ୍ଦୁମାନଙ୍କ ମଧ୍ୟରେ ଏହା ଏକ ପ୍ରଚଳିତ ପରମ୍ପରା ଅଟେ l ଗୃହକର୍ତ୍ତାଙ୍କୁ ୬୦ ବର୍ଷ ପୂରଣ ହେବା ପରେ ଏହି ଷଷ୍ଠୀପୁର୍ତ୍ତି ଉତ୍ସବ ପାଳନ କରାଯାଏ l ଯଦିଓ ଲୌକିକ ଧାରାରେ ଏହାକୁ ଦ୍ଵିତୀୟ ପାଳି ବିବାହ ଭାବରେ ଦେଖାଯାଏ, କିନ୍ତୁ ଏହି ପରମ୍ପରାର ଆଧ୍ୟାତ୍ମିକତା ଦିଗ କେତେ ମହାନ ତାହା ଚିନ୍ତା କରିଲେ ଜଣାପଡ଼େ l ଏହାର ଭିତରେ ରହିଥିବା ଅର୍ଥଟି କେତେ ମହାନ ଏବଂ କେତେ ଉଚ୍ଚକୋଟୀର ତାହା କେବଳ ବିଦ୍ୱାନ ପଣ୍ଡିତ ମାନେ ଜାଣିଛନ୍ତି l ମଣିଷ ନିମନ୍ତେ ସାମାଜିକ ଜୀବନର ମହତ୍ତ୍ୱ ରହିଛି ଏବଂ ଆଧ୍ୟାତ୍ମିକ ଜୀବନର ମଧ୍ୟ ମହତ୍ତ୍ୱ ରହିଛି l
ମଣିଷର ଜୀବନରେ ଏହି ଦୁଇଟି ତତ୍ତ୍ୱର ସନ୍ତୁଳନ ରକ୍ଷା କରିବା ନିମନ୍ତେ କାହିଁ କେଉଁ ଅତୀତରୁ ଷଷ୍ଠୀପୁର୍ତ୍ତିର ସୃଷ୍ଟି l ଆମର ସମାଜରେ ପ୍ରଚଳିତ ସମସ୍ତ ବିଧି ବ୍ୟବସ୍ଥା, ପରମ୍ପରା ଯେ ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ ଉପରେ ପର୍ଯ୍ୟବେସିତ ତାହା ଭାବିବା ଠିକ୍‌ ନୁହେଁ l ସେହିପରି ଭାବରେ ମଣିଷର ଜୀବନର ଚିରନ୍ତନ ସତ୍ୟକୁ ଆମେ ଷଷ୍ଠୀପୁର୍ତ୍ତି ଉତ୍ସବ ମାଧ୍ୟମରେ ଉପଲବ୍ଧି କରିପାରୁ l ମଣିଷର ଜୀବନକୁ ଯଦି ଆମେ ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କରିବା, ତାହା ହେଲେ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ଯେ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଥିବା ଅବଧି ହିଁ ହେଉଛି ଜୀବନ l ଏହି ଅବଧିକୁ ଆମେ ଆମର ବୟସ ବୋଲି ବିଚାର କରୁ l ଏହି ଷଷ୍ଠୀପୁର୍ତ୍ତି ରୀତିକୁ ଏକ ଉତ୍ସବ ତଥା ଈଶ୍ୱରଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇବାକୁ ପାଳନ କରାଯାଏ l ପୃଥିବୀ ପୃଷ୍ଠାରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ପାଇ ତାହାର ଅର୍ଦ୍ଧେକ ଭାଗ ଜୀଇଁବା ପରେ ସୃଷ୍ଟିକର୍ତ୍ତାଙ୍କ ନିକଟରେ ବ୍ୟକ୍ତି ନିଜର କୃତଜ୍ଞତା ପ୍ରକାଶ କରେ ଏବଂ ନିଜ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରେ l ଏହା ସଂଗେ ସଂଗେ ଜୀବନରେ ଆଗକୁ ଆସୁଥିବା ସମୟ ଈଶ୍ୱର ଚିନ୍ତନରେ କଟିଯାଉ ତାହା କାମନା କରି ବ୍ୟକ୍ତି ଏହି ଷଷ୍ଠୀପୁର୍ତ୍ତି ଉତ୍ସବର ପାଳନ କରନ୍ତି l ସାଧାରଣତଃ ୬୦ ବର୍ଷ ପୂର୍ବରୁ ଆମେ ସମସ୍ତେ ସଂସାରର ଜଞ୍ଜାଳରେ ଛନ୍ଦି ହୋଇ ରହିଥାଉ l ନିଜର କର୍ମ, ଚିନ୍ତା, ଚେତନାକୁ ପାର୍ଥିବ ସୁଖ ପ୍ରାପ୍ତିରେ ଲଗାଇ ଥାଉ l ଷଷ୍ଠୀପୁର୍ତ୍ତି ପରମ୍ପରା ଅନୁସାରେ ଆମ ଜୀବନର ଦ୍ଵିତୀୟାର୍ଦ୍ଧ ଆମର ୬୦ ବର୍ଷ ପରେ ଆରମ୍ଭ ହୁଏ ଏବଂ ମନୁଷ୍ୟ ଜୀବନର ଏହି ପରବର୍ତ୍ତୀ ସମୟରେ ଈଶ୍ଵରାଭିମୁଖୀ ହେବା ଉଚିତ l
ଅନ୍ୟ ଏକ ଦୃଷ୍ଟିରେ, ବୈଦିକ ଯୁଗରେ ସମାଜରେ ଚାରିଗୋଟି ଆଶ୍ରମର ପ୍ରଥା ପ୍ରଚଳନ ଥିଲା, ସେଗୁଡିକ ହେଉଛି ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ l ଷଷ୍ଠୀପୁର୍ତ୍ତିର ପରବର୍ତ୍ତୀ ସମୟରେ ସନ୍ୟାସ ବ୍ରତକୁ ଗ୍ରହଣ କରାଯାଏ l ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ସନ୍ୟାସ ବ୍ରତ ଗ୍ରହଣ କରନ୍ତି l ଜୀବନ ଜଞ୍ଜାଳ ମୋହରୁ ନିଜକୁ ନିବୃତ କରି ଭାଗବତ ଚିନ୍ତାରେ ମନୋନିବେଶ କରନ୍ତି l ଏହି ପବିତ୍ର ଷଷ୍ଠୀପୁର୍ତ୍ତି ପାଳନ ଦ୍ୱାରା ଜୀବନର ଦ୍ଵିତୀୟ ଜନ୍ମ ଆରମ୍ଭ ବୋଲି ବିବେଚନା କରାଯାଏ l
ପରମ୍ପରା ଅନୁସାରେ ଷଷ୍ଠୀପୁର୍ତ୍ତି ନିମନ୍ତେ ଗୃହକର୍ତ୍ତାଙ୍କର ରାଶି ନକ୍ଷତ୍ରକୁ ଗଣନା କରି ମଙ୍ଗଳ ମୁହୂର୍ତ୍ତକୁ ବାହାର କରାଯାଏ l ଏହି ରୀତିର ପାଳନ ଦୁଇଦିନ ଧରି ହୋଇଥାଏ l ବିଭିନ୍ନ ପ୍ରକାରର ହୋମ ମାଧ୍ୟମରେ ଈଶ୍ୱରଙ୍କୁ ଆବାହନ କରାଯାଏ ଏବଂ ଦମ୍ପତି ନୂତନ ଜୀବନ ଆରମ୍ଭ କରିବା ପାଇଁ ଈଶ୍ୱରଙ୍କୁ ସାକ୍ଷୀ ରଖି ଦୀକ୍ଷିତ ହୁଅନ୍ତି l ଯେମିତି ବିବାହ ଉତ୍ସବରେ ପରିବାରର ସମସ୍ତ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କୁ ଡକାଯାଏ, ଠିକ ସେହିପରି ତାମିଲ ପରମ୍ପରାରେ ଷଷ୍ଠୀପୁର୍ତ୍ତି ଉତ୍ସବରେ ପରିବାରର ସମସ୍ତ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯାଏ l ଉଭୟ ଦମ୍ପତି ଠାକୁରଙ୍କ ନିକଟରେ ପୁନର୍ବାର ପୁଷ୍ପମାଳା ଧାରଣ କରନ୍ତି l ସମସ୍ତ ପୂଜାପାଠ ଏବଂ ହୋମ ଯଜ୍ଞ ଭିତରେ ଏହି ମହାନ ଦିନଟିକୁ ପାଳନ କରାଯାଏ l ବର୍ତ୍ତମାନ ସମୟରେ ପୁଅଝିଅମାନେ ପିତାମାତାଙ୍କର ଷଷ୍ଠୀପୁର୍ତ୍ତି ପାଳନ ନିମନ୍ତେ ସମସ୍ତ ଆୟୋଜନରେ ସହଯୋଗ କରିଦେଉଛନ୍ତି l

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.