
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅଧା ଓଡ଼ିଶାରେ ବର୍ଷା ହେବା ଦ୍ବାରା ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଏଥିସହ ପାହାଡ଼ ଧସିବା, ମାଟି ଘର ଓ ରାସ୍ତା ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ।
ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ବି ଛୁଇଁବାର ସମ୍ଭାବନା ରହିଛି। ତେବେ ୱେଲ୍ ମାର୍କଡ୍ ଲୋ ପ୍ରେସର୍ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ।
୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରୁ ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ଛୁଇଁବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ୨୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।