
ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କ୍ୟୁ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି?
ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ର ଦାମ୍ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍)ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ କେହି ଜାଣିନାହାନ୍ତି। ଜାଣିବେ ବା କାହିଁକି?
ମୋ ସାଇକେଲ୍ ରାଜଧାନୀରେ ଗଡ଼ିବା ଦିନରୁ କୁହାଯାଇଛି ଯେ, ତିନିଟି ଘରୋଇ ସଂସ୍ଥା ହେକ୍ସି, ୟୋନୋ, ୟୁଲୁ ନିଜ ଖର୍ଚ୍ଚରେ ସାଇକେଲ୍ କିଣିକି ଚଲାଇବେ। ଯାହା ଭଡ଼ା ପାଇବେ ତାହା ତାଙ୍କର ରୋଜଗାର।
ଅସଲରେ ଏହି ‘ମୋ ସାଇକେଲ୍’କୁ ବିଏସ୍ସିଏଲ୍ କର୍ତ୍ତୃପକ୍ଷ କିଣିଛନ୍ତି। ସାଇକେଲ୍ ଦାମ୍ ଶୁଣିଲେ ଅପାଣଙ୍କ ହାଲକ୍ ଶୁଖିଯିବ। ସାଇକେଲ୍ ଗୋଟାକୁ ୫ହଜାର କି ୧୦ହଜାର ନୁହେଁ। ଗୋଟିଏ ସାଇକେଲ୍ ପିଛା ଘରୋଇ ସଂସ୍ଥାକୁ ୨୫ହଜାର ଟଙ୍କା ଲେଖାଏଁ ଦେଇଛନ୍ତି। ଅର୍ଥାତ୍ ରାଜଧାନୀରେ ଯେଉଁ ୨ହଜାର ‘ମୋ ସାଇକେଲ୍’ ଚଲାଇବାକୁ ଆସିଥିଲା ତାକୁ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଦେଇ କିଣିଛନ୍ତି।
ତିନି ଘରୋଇ ସଂସ୍ଥା ଯଥା ହେକ୍ସିକୁ ହଜାରେ ସାଇକେଲ୍ ପାଇଁ ଅଢେଇ କୋଟି, ୟୋନୋକୁ ୫୦୦ ସାଇକେଲ୍ ପାଇଁ ୧କୋଟି ୨୫ଲକ୍ଷ ଏବଂ ୟୁଲୁକୁ ୫୦୦ ସାଇକେଲ୍ ପାଇଁ ୧କୋଟି ୨୫ ଲକ୍ଷ ଲେଖାଏଁ ଦେଇ ସାଇକେଲ୍ କିଣିଛନ୍ତି।