
ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୋଟିଏ ପଟେ କରୋନା ପରୀକ୍ଷଣ କମୁଥିବାବେଳେ ସଂକ୍ରମଣ ବା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି।
ଅନ୍ୟପକ୍ଷରେ ସାଧାରଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଜଣାପଡ଼ିଛି। ବିଶେଷକରି ଭେଷଜ ବିଭାଗରେ ଅନ୍ୟ ବିଭାଗ ଅପେକ୍ଷା ବୃଦ୍ଧି ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷେ ବିଭିନ୍ନ ବିଭାଗରୁ କରୋନା ଆକ୍ରାନ୍ତ ହୋଇଥିବା ଡାକ୍ତର, ଅାଟେଣ୍ଡାଣ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରାୟ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲକୁ ପୂର୍ବରୁ ଦୈନିକ ୩୫୦୦ ରୋଗୀ ଆସୁଥିବାବେଳେ ବର୍ତ୍ତମାନ ସମୟରେ ପାଖାପାଖି ୨୦୦୦ ରୋଗୀ ଆସୁଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ଆଇପିଡି ତୁଳନାରେ ଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଯେହେତୁ ଦୁଇବେଳା ଓପିଡି ଖୋଲିନାହିଁ ତେଣୁ ରୋଗୀ ସଂଖ୍ୟା ପୂର୍ବପରି ବୃଦ୍ଧି ହୋଇନାହିଁ।ଜେନେରାଲ ଓପିଡି ଦୁଇବେଳା ଖୋଲା ରହୁଛି। ଉକ୍ତ ଓପିଡି ସାମ୍ନାରେ ଦିନତମାମ ଲମ୍ବା ଲାଇନ ଦେଖିବାକୁ ମିଳୁଛି।
କରୋନା ଆରମ୍ଭରୁ ରୋଗୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସରେ ରୋଗୀଙ୍କ ସଂଖ୍ୟା ବହୁତ କମିଥିଲା। ଏମିତିକି ରୋଗୀଙ୍କୁ ଡାକ୍ତର ଅପେକ୍ଷା କରିବାକୁ ପଡୁଥିଲା। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଶେଷ ଆଡ଼କୁ କମିଥିଲେ। ଯେହେତୁ କରୋନା ଭୟ ଓ ସଂକ୍ରମଣ ସଂଖ୍ୟା କମିଛି ତେଣୁ ବର୍ତ୍ତମାନ ସମୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତାଲାବନ୍ଦ ଖୋଲିବା ପରେ ଓପିଡିକୁ ଦୁଇବେଳା କରାଯାଇଥିବାବେଳେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ହୋଇନଥିଲା। ଏଥିପାଇଁ ପୂର୍ବଭଳି ଓପିଡିକୁ କେବଳ ସକାଳ ବେଳା କରାଯାଇଥିଲା। ସୂଚନା ଅନୁସାରେ ଭେଷଜ, ଅସ୍ଥିଶଲ୍ୟ, ସର୍ଜରୀ ଏବଂ ଚର୍ମ ବିଭାଗରେ ରୋଗୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ବୃଦ୍ଧି ପାଇଛି।