ଦକ୍ଷିଣ ଭାରତରେ ଜଣେ ନାରୀନେତ୍ରୀ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁଦକ୍ଷା ମହିଳା ହେଉଛନ୍ତି ଜୟଲଳିଥା। ଜୀବନରେ କେତେ ଘାତ ପ୍ରତିଘାତର ସାମ୍ନା କରି ଅଭିନୟ ଜଗତରେ ସେ ତାଙ୍କର କଳାର ଯାଦୁ ପ୍ରଦର୍ଶନ କରିଥିଲେ। ଜୀବନର ପରବର୍ତୀ ସୋପାନରେ ରାଜନୀତିରେ ଭାଗ ନେଲେ। ଆଉ ପରବର୍ତ୍ତୀ ସମୟରେ ସେ କ୍ଷମତା ଏବଂ ଶାସନର ଶୀର୍ଷରେ ପହଞ୍ଚି ପାରିଥିଲେ। କେବେ ନିଜର ବକ୍ତବ୍ୟକୁ ନେଇ ଚର୍ଚ୍ଚିତ ତ କେବେ ନିଜର ସମ୍ପତ୍ତିକୁ ନେଇ ଚର୍ଚ୍ଚିତ ଥିଲେ ଏହି ରାଜନେତ୍ରୀ ଜଣକ। ଡିସେମ୍ବର ୫, ୧୯୧୬ ମସିହାରେ ସୁଶ୍ରୀ ଜୟଲଳିଥା ପରଲୋକ ଗମନ କରିଛନ୍ତି। ଆଜି ଆପଣ ଏଠାରେ ପଢନ୍ତୁ ତାଙ୍କ ସହିତ ଏକ ବଳିଷ୍ଠ କଥୋପକଥନର କିୟଦଂଶକୁ।
ପ୍ରଶ୍ନ: ଆପଣ କିଛି ବର୍ଷ ଧରି ରାଜନୀତିରେ ପାଦ ଦେଇଛନ୍ତି। ଏହା ଏକ ଦମ୍ଭପୂର୍ଣ୍ଣ ଯାତ୍ରା। କୌଣସି ଏକ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଠାରୁ ଏହା ଅଧିକ ନାଟକୀୟ ହୋଇଛି। ଏ ବିଷୟରେ ଆପଣ କଣ କହିବେ ?
ସୁଶ୍ରୀ ଜୟଲଳିଥା: ଜୀବନ ଏବଂ ପେସା ଭାବରେ ଏହା ଏକ ପ୍ରଚଣ୍ଡ ପଦକ୍ଷେପ ଭଳି ହୋଇଆସିଛି।
ପ୍ରଶ୍ନ: ଆପଣ ଜୀବନରେ ଅନେକ ପରୀକ୍ଷା ଏବଂ ସଙ୍କଟଜନକ ପରିସ୍ଥିତିର ସାମ୍ନା କରିଛନ୍ତି, କିନ୍ତୁ ଆପଣ କେବେ ବି ଭୟ କିମ୍ବା ରାଗ ଭାବକୁ ପ୍ରକାଶ କରିନାହାଁନ୍ତି। ଏହା କିପରି ସମ୍ଭବ ହୋଇଛି ?
ସୁଶ୍ରୀ ଜୟଲଳିଥା: ହଁ, ଠିକ କଥା। ମୁଁ ଅନ୍ୟ ମାନଙ୍କ ଭଳି ଜଣେ ମଣିଷ ଅଟେ। ସମସ୍ତଙ୍କ ପରି ମୋର ମଧ୍ୟ କ୍ରୋଧ ଭଳି ଆବେଗଗୁଡ଼ିକ ରହିଛି। ଯଦି ନଥାନ୍ତା ମୁଁ କିପରି ମଣିଷ ଭାବରେ ଗଣା ହେବି। କିନ୍ତୁ ଆପଣ ଯେତେବେଳେ ଜଣେ ନେତା ହୋଇଯାନ୍ତି ଆପଣ ନିଜର ଆବେଗକୁ କିପରି ନିୟନ୍ତ୍ରଣ କରାଯିବ ତାହା ଶିଖିବା ଉଚିତ। କିପରି ଖୋଲାଖୋଲି ଭାବରେ ତାହା ପ୍ରଦର୍ଶନ କରାଯିବ ନାହିଁ ତାହା ଶିଖିବା ଉଚିତ।
ପ୍ରଶ୍ନ: ବର୍ତ୍ତମାନର ରାଜନୀତିରେ ତିଷ୍ଠି ରହିବାକୁ ହେଲେ ନିଜକୁ କଠୋର ଭାବରେ ପ୍ରଦର୍ଶନ କରିବା କଣ ନିହାତି ଜରୁରୀ ଅଟେ ?
ସୁଶ୍ରୀ ଜୟଲଳିଥା: ମୁଁ କେବେ ବି ମୋର ଜାଣତରେ କଠୋର ଭାବରେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିନାହିଁ। ମୋର କହିବା କଥା ମୁଁ ଯାହା କରିଛି, ମୋର କ୍ରିୟା ପ୍ରତିକ୍ରିୟାଗୁଡ଼ିକ ମୋତେ କଠୋର ବୋଲି ଚିତ୍ରଣ କରନ୍ତି।
ପ୍ରଶ୍ନ: ବାହାରକୁ ଆପଣ ବହୁତ ଶାନ୍ତ, ନୀରବ ପରି ଜଣାପଡ଼ନ୍ତି। ଏହା ପଛରେ କଣ କାରଣ ଲୁଚି ରହିଛି ?
ସୁଶ୍ରୀ ଜୟଲଳିଥା: (ହସି ହସି)…ମୋର ଆବେଗଗୁଡ଼ିକୁ ମୁଁ ମୋ ଭିତରେ ରଖେ। ସେସବୁ ସାଧାରଣରେ ପ୍ରଦର୍ଶନ ନିମନ୍ତେ ନୁହେଁ। ସର୍ବସାଧାରଣରେ କେବେ ବି ମୁଁ ମୋର କ୍ରୋଧକୁ ପ୍ରକାଶ କରି ନାହିଁ। ସର୍ବସାଧାରଣରେ କେବେ ବି ମୁଁ କାନ୍ଦି ନାହିଁ।
ପ୍ରଶ୍ନ: ଆପଣ ଏ ସବୁ କିପରି ସମ୍ଭାଳନ୍ତି ?
ସୁଶ୍ରୀ ଜୟଲଳିଥା: ମୋର ଯଥେଷ୍ଟ ରହିଛି ମନୋବଳ ଏବଂ ଆତ୍ମ ନିୟନ୍ତ୍ରଣ ରହିଛି।
ପ୍ରଶ୍ନ: ରାଜନୀତି ଆପଣଙ୍କୁ କଠୋର କରିଦେଇଛି ବୋଲି ଆପଣ ଭାବନ୍ତି କି ?
ସୁଶ୍ରୀ ଜୟଲଳିଥା: ହଁ, ଅବଶ୍ୟ। ମୁଁ କେବେ ବି ଏମିତି ନଥିଲି।
ପ୍ରଶ୍ନ: ତା ମାନେ ଆପଣ ଜନ୍ମରୁ କଠୋର ନଥିଲେ, ଏୟା ତ?
ସୁଶ୍ରୀ ଜୟଲଳିଥା: କେହି ବି ଜନ୍ମ ସମୟରୁ କଠୋର ଥିବେ, ଏହା ମୁଁ ତ ଭାବି ପାରୁନି। ମୁଁ ଭାବେ ଯେ, ଜୀବନର ଚଲାପଥରେ ଅନୁଭୂତିଗୁଡ଼ିକ ଆପଣଙ୍କୁ ଢାଞ୍ଚାରେ ପକାଏ। ମୋର ରାଜନୀତି ଜୀବନର ପ୍ରାରମ୍ଭରେ ମୁଁ ବହୁତ ଲାଜକୁଳୀ ଥିଲି, ଅଚିହ୍ନା ବ୍ୟକ୍ତିଙ୍କୁ ଭେଟିବାକୁ ଭୟ କରୁଥିଲି। ମୁଁ ଏମିତି ଜଣେ ବ୍ୟକ୍ତି ଥିଲି, ଯେ କି ଆଗକୁ ଆସିବାକୁ ଘୃଣା କରୁଥିଲା।
ପ୍ରଶ୍ନ: ଓ ଇୟେ ତ ବଡ଼ ଆଶ୍ଚର୍ଯ୍ୟଜନକ କଥା l ନୁହେଁ କି ?
ସୁଶ୍ରୀ ଜୟଲଳିଥା: ହଁ, ଇୟେ ବଡ଼ ଆଶ୍ଚର୍ଯ୍ୟଜନକ କଥା। ଭାଗ୍ୟର ତାଡ଼ନାରେ ମୁଁ ଦୁଇଟି ବୃତ୍ତିରେ ଯୋଗ ଦେଇଛି। ଦୁଇଟିଯାକ ବହୁତ ଉଚ୍ଚ ଶ୍ରେଣୀର। କିନ୍ତୁ ଏହା ମୋର ନିଜର ପସନ୍ଦରେ ନ ଥିଲା।
ପ୍ରଶ୍ନ: ଆପଣଙ୍କର ପିଲାବେଳର କିଛି କଥା କହିବେ କି ?
ସୁଶ୍ରୀ ଜୟଲଳିଥା: ମୋର ଜନ୍ମ ଗୋଟିଏ ତାମିଲ ବ୍ରାହ୍ମଣ (ଅୟଙ୍ଗର) ପରିବାରରେ ହୋଇଥିଲା। ମୁଁ ମୋର ଅଜା ଆଈଙ୍କ ଦ୍ୱାରା ବହୁତ ପାରମ୍ପରିକ ରୀତିନୀତିରେ ବଢିଥିଲି। ଏକ ସମ୍ପୂର୍ଣ୍ଣ ଭାବରେ ରୂଢିବାଦୀ ପରିବାରରେ ବଢିଥିଲି। ମୋର ଜେଜେ ବାପା ମହୀଶୂର ମହାରାଜାଙ୍କ ରାଜ ଚିକିତ୍ସକ ଥିଲେ ଏବଂ ସେ ବହୁତ ଅର୍ଜନ କରିଥିଲେ। ଆଉ ସେ ଯଦି ବଞ୍ଚିଥାନ୍ତେ, ସମ୍ଭବତଃ ମୋର ମା ସିନେମାରେ ଅଭିନୟ କରିନଥାନ୍ତେ କିମ୍ବା ମୁଁ ବି ସିନେମାରେ ଅଭିନୟ କରିନଥାନ୍ତି। କିନ୍ତୁ ମୋର ବାପା ଆମର ପରିବାରର ସବୁକିଛି ହରାଇବସିଲେ।
ପ୍ରଶ୍ନ: କିନ୍ତୁ ଆପଣଙ୍କର ମା ୨୦ ବର୍ଷ ବୟସରେ ବିଧବା ହୋଇଥିଲେ !
ସୁଶ୍ରୀ ଜୟଲଳିଥା: ହଁ। ମୋର ମା ୧୧ ବର୍ଷ ବୟସରେ ବିବାହ କରିଥିଲେ।
ପ୍ରଶ୍ନ: ତାଙ୍କର ୨୦ ବର୍ଷ ବୟସରେ ଦୁଇଟି ଛୁଆ ଥିଲେ ଏବଂ ସେ ବିଧବା ହୋଇଥିଲେ ! ଆଉ ସେ ବହୁତ ସୁନ୍ଦରୀ ଥିଲେ।
ସୁଶ୍ରୀ ଜୟଲଳିଥା: ହଁ। ସେ ଅତି ସୁନ୍ଦରୀ ଥିଲେ।
ପ୍ରଶ୍ନ: ଯଦି ଆପଣଙ୍କର ଜୀବନକୁ ନେଇ ଗୋଟିଏ ସିନେମା ନିର୍ମାଣ କରାଯାଏ, ତେବେ ଆପଣ କାହାକୁ ଜୟଲଳିଥା ଭୂମିକାରେ ଦେଖିବାକୁ ପସନ୍ଦ କରିବେ?
ସୁଶ୍ରୀ ଜୟଲଳିଥା: ମୋର ଜୀବନକୁ ନେଇ ଗୋଟିଏ ସିନେମା ହେଉ ମୁଁ ଏହା ଚାହେଁ ନାହିଁ।
ପ୍ରଶ୍ନ: ଯଦି ବି ପ୍ରସ୍ତୁତ କରାଯାଏ, ଆପଣ କାହାକୁ ଜୟଲଳିଥା ଭୂମିକାରେ ଦେଖିବାକୁ ପସନ୍ଦ କରିବେ ?
ସୁଶ୍ରୀ ଜୟଲଳିଥା: ଐଶ୍ୱର୍ଯ୍ୟ ରାଏ। ମୁଁ ଭାବୁଛି ମୋର କିଶୋରୀ ବେଳର ଚରିତ୍ରରେ ଐଶ୍ୱର୍ଯ୍ୟା ରାଏ ଅଭିନୟ କରିଲେ ଠିକ ହେବ। କିନ୍ତୁ ମୋର ବର୍ତ୍ତମାନର ଏବଂ ଆଗକୁ ଆସୁଥିବା ଭବିଷ୍ୟତ ଚରିତ୍ରରେ ଆଉ କେହି ଅଭିନୟ କରିବେ ସେ କଥା କହିବା ଟିକେ କଷ୍ଟ ହେବ।
ପ୍ରଶ୍ନ: ଆପଣଙ୍କର ପସନ୍ଦର କ୍ରିକେଟର କିଏ ?
ସୁଶ୍ରୀ ଜୟଲଳିଥା: ବର୍ତ୍ତମାନର ଖେଳାଳୀ, ସଚିନ ତେନ୍ଦୁଲକର।
ପ୍ରଶ୍ନ: ଯଦି ଆପଣଙ୍କର ଈଶ୍ୱରଙ୍କ ସହିତ ଦେଖା ହୁଏ ତେବେ ଆପଣ ତାଙ୍କୁ କଣ ପଚାରିବେ ?
ସୁଶ୍ରୀ ଜୟଲଳିଥା: ଆପଣ କାହିଁକି କି ଏ ବିଶ୍ୱକୁ ସୃଷ୍ଟି କରିଲେ, ଯେଉଁଠି ପ୍ରଚୁର ଦୁଃଖ ଭରିରହିଛି।
ପ୍ରଶ୍ନ: ଆପଣଙ୍କର ସବୁଠାରୁ ବଡ଼ ଭୟ କଣ ?
ସୁଶ୍ରୀ ଜୟଲଳିଥା: ମୁଁ ଏବେ କିଛି ବି ଭୟ କରେନାହିଁ।
ପ୍ରଶ୍ନ: ଜୟଜୀ ଆପଣଙ୍କୁ ଶେଷ ପ୍ରଶ୍ନ। ଆପଣଙ୍କର କିଛି ଅବଶୋଷ ରହିଛି କି ?
ସୁଶ୍ରୀ ଜୟଲଳିଥା: ମୁଁ ଇଚ୍ଛା କରୁଛି ମୁଁ ମୋର ବୁଢ଼ୀ ମାଙ୍କ ପ୍ରତି ଦୟା ଦେଖାଇଥାନ୍ତି। ମୋର ମା ମୋର ବୁଢୀମାଙ୍କର ସେବା କରୁଥିଲେ। ତାଙ୍କର ମୃତ୍ୟୁ ପରେ ବୁଢ଼ୀ ମା ବେସାହାରା ହୋଇଗଲେ। ଏପରିକି ମୁଁ ରୋଷେଇକରିବା ଜାଣିନଥିଲି। କିନ୍ତୁ ବୁଢ଼ୀ ମା ମୋର ଯତ୍ନ ନେଉଥିଲେ। ମୁଁ ସେତେବେଳେ ଅପରିପକ୍ଵ, ଛୋଟ, ଏବଂ ବହୁତ ଅଧର୍ଯ୍ୟ ଥିଲି। ମୁଁ ସେତେବେଳେ ତାଙ୍କର ମନୋବେଦନାକୁ ବୁଝିପାରିଲି ନାହିଁ । ଏଇଟା ମୋର ଗୋଟେ ଅବଶୋଷ।