
ଥରେ ନାରଦ ପଚାରିଲେ ଭଗବାନ ବିଷ୍ଣୁଙ୍କୁ, “ପ୍ରଭୁ ସତସଙ୍ଗ ମାନେ କଣ? ମର୍ତ୍ତ୍ୟରେ ମଣିଷ ମାନେ ଆଜି କାଲି ସତସଙ୍ଗ ବହୁତ କରନ୍ତି। ମୁଁ ତ ସର୍ବଦା ଆପଣଙ୍କ ସଙ୍ଗ ଲାଭ କରୁଛି ।
ସେମାନଙ୍କ ସତସଙ୍ଗ ପୁଣି କଣ?” ଶ୍ରୀ ବିଷ୍ଣୁ କହିଲେ, “ନାରଦ, ତୁମ୍ଭେ ଯାଅ ମର୍ତ୍ତ୍ୟର ନୈମିଷାରଣ୍ଯର ଏକ ବିରାଟ ଅଶ୍ବତ୍ଥ ବୃକ୍ଷ କୋରଡ଼ରେ ଗୋଟିଏ ପକ୍ଷୀଶାବକ ଜନ୍ମ ନେବାକୁ ଯାଉଛି ତାକୁ ପଚାରିବ ଏହି ପ୍ରଶ୍ନ।” ନାରଦ ତୁରନ୍ତ ପ୍ରବେଶ କଲେ ଏହି ନୈମିଷାରଣ୍ଯରେ। ମୁନିଋଷିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଅରଣ୍ୟରେ କଳିର ପ୍ରବେଶ ମଧ୍ୟ ନିଷେଧ । ଏହି ନିଘଞ୍ଚ ଅରଣ୍ୟରେ ବୃହତ୍ ଅଶ୍ବତ୍ଥ ବୃକ୍ଷ ପାଖରେ ନାରଦ ଦେଖିଲେ କୋରଡ଼ ଭିତରୁ ସୁନ୍ଦର ପକ୍ଷୀଶାବକଟିଏ ସଦ୍ୟ ଜନ୍ମ ନେଇ ମୁଣ୍ଡ ଟେକୁଛି।
ବିମୁଗ୍ଧ ନାରଦ ତାକୁ ପଚାରିଲେ “କୁହ ପକ୍ଷୀଶାବକ, ସତସଙ୍ଗ କଣ?” ଶାବକଟି ଜନ୍ମ ନେଇ ଆଖି ଖୋଲି ପ୍ରଥମେ ନାରଦ ମୁନିଙ୍କୁ ଦେଖୁ ଦେଖୁ ଆଖି ବୁଜି ଦେଇଥିଲା ଓ ମରିଯାଇଥିଲା। ଅତ୍ୟନ୍ତ ଦୁଃଖିତ ଓ ଅପମାନିତ ନାରଦ ବିଷ୍ଣୁଙ୍କ ନିକଟକୁ ଆସି ଏପରି କରିବାର ଅଭିପ୍ରାୟ ପଚାରି ସତସଙ୍ଗର ଅର୍ଥ ପୁଣି ପଚାରିଥିଲେ। ବିଷ୍ଣୁ କହିଲେ ଏବେ ତୁମ୍ଭେ ଦ୍ବାରକା ଗ୍ରାମକୁ ଯାଅ।
ସେଠାରେ ଜଣକ ଗୁହାଳରେ ଗାଈ ଶାବକଟିଏ ଜନ୍ମ ନେବ। ତାକୁ ଯାଇ ଏକଥା ପଚାରିବ ସିଏ ତୁମକୁ ଉତ୍ତର ଦେବ । ନାରଦ ବିଷ୍ଣୁଙ୍କୁ କହିଲେ “ଏହିପରି ମୋତେ ଶଙ୍କଟରେ ନ ପକାଇ ଦୟାକରି ଆପଣ କହିଦିଅନ୍ତୁ ନା।” ବିଷ୍ଣୁ କହିଲେ “ଥରେ ପୁଣି ଯାଅ ସେଠାକୁ ଗାଭୀଶାବକକୁ ପଚାରିଲେ ସେ କହିଦେବ।” ନାରଦ ବାଧ୍ୟ ହୋଇ ଦ୍ବାରକାର ସେହି ଗ୍ରାମରେ ପହଞ୍ଚି ଠାବକଲେ ଗଉଡ଼ ଜଣକର ଗୃହ, ଯେଉଁଠି ଆଜି ଗାଈଟିଏ ଜନ୍ମ ଦେବାକୁ ଯାଉଛି ବାଛୁରୀକୁ। ଗାଁ ଲୋକେ ଜଣେ ମୁନିଙ୍କୁ ଦେଖି ଆନନ୍ଦ ସହକାରେ ରୁଣ୍ଡ ହୋଇଗଲେ ବାଛୁରୀଟି ଜନ୍ମ ନେଲାବେଳେ। ନାରଦ ପଚାରିଲେ ଏହି ସୁନ୍ଦର ବାଛୁରୀଟିକୁ, “ସତସଙ୍ଗ କଅଣ ?” ଇଏ ପୁଣି କଣ ହେଲା ? ବାଛୁରୀଟି ଆଖି ଖୋଲି ନାରଦଙ୍କୁ ଦେଖି ଜୀବନ ହରାଇ ବସିଲା।
ଅତ୍ୟନ୍ତ ଅପମାନିତ ହୋଇ ନାରଦ ମୁନି ସେଠାରୁ କୌଶଳ କରି ଖସି ଆସିଲେ ବିଷ୍ଣୁଙ୍କ ନିକଟକୁ। ଏହିପରି ବାରମ୍ବାର ନିନ୍ଦିତ ନ କରି ତାଙ୍କ ପ୍ରଶ୍ନର ଉତ୍ତର ଚାହିଁଥିଲେ ଏବେ ଭଗବାନ ବିଷ୍ଣୁଙ୍କ ମୁଖରୁ। ଏଥର ବିଷ୍ଣୁ କହିଲେ, ବିଦର୍ଭର ରାଜ ଉଆସରେ ଜନ୍ମ ନେଉଥିବା ରାଜକୁମାରକୁ ପଚାର ସେ ଏହା କହିବ। ନାରଦ କିନ୍ତୁ ବିଲକୁଲ୍ ଆଉ ରାଜି ନୁହଁନ୍ତି ଏଥିରେ। ବିଷ୍ଣୁ ବାଧ୍ଯ କରିଥିଲେ ସେଠାକୁ ଯିବାପାଇଁ।
ଅଗତ୍ୟା ନାରଦ ବିଦର୍ଭ ପହଞ୍ଚି ଭୟ-ପରବଶ ହୋଇ ଏବେ ରାଜ ଉଆସରେ ପ୍ରବେଶ କରି ଜନ୍ମ ନେଉଥିବା ଶିଶୁଟି ପାଖରେ ପହଞ୍ଚି ଏହି ପ୍ରଶ୍ନ ଉତ୍ଥାପନ କରନ୍ତେ ଶିଶୁଟି ନାରଦଙ୍କୁ ଆଗ ପ୍ରଣାମ କରି ଉତ୍ତର ଦେଇଥିଲା, “ଆପଣ ଏବେ ଯାଏଁ ବୁଝି ପାରିଲେନି ସତସଙ୍ଗର ଅର୍ଥ କ’ଣ ? ମୁଁ ପରା ସେହି ପକ୍ଷୀ ଶାବକ ନୈମିଷାରଣ୍ଯରେ ଜନ୍ମ ନେଉ ନେଉ ଆପଣଙ୍କୁ ଦର୍ଶନ କରିଥିଲି ବୋଲି ଗାଭୀଶାବକ ହୋଇପାରିଲି। ପୁଣି ଦ୍ବାରକାରେ ଆପଣଙ୍କର ପ୍ରଥମ ସଙ୍ଗ ଲାଭ କରି ତତକ୍ଷଣାତ୍ ପଶୁ ଜନ୍ମରୁ ମୁକ୍ତି ପାଇଯାଇ ଉନ୍ନତ ଜନ୍ମ ପାଇ ରାଜକୁମାର ଭାବେ ଜନ୍ମ ନେଲି। ଏସବୁ ଆପଣଙ୍କ ସଙ୍ଗଲାଭରୁ ହିଁ ସମ୍ଭବପର ହୋଇଛି। ଏହା ହିଁ ତ ସତସଙ୍ଗ। ”
🌸🌼🙏ଜୟ ଜଗନ୍ନାଥ🙏🌼🌸