ରଙ୍ଗୋଲୀ ମଣିଷ: ମଙ୍ଗଳମ୍ ଶ୍ରୀନିବାସନ୍

Reading Time: 3 minutes

 

ଆମ ଓଡ଼ିଆ ପର୍ବପର୍ବାଣୀରେ ଝୋଟିଚିତାର ପ୍ରଚଳନ କାହିଁ କେଉଁ ଆବହମାନ କାଳରୁ ରହି ଆସିଛି l କେବେ କେଉଁ ମାଙ୍ଗଳିକ ଶୁଭ କାମରେ ଆମେ ଚିତା ପକାଇବାକୁ ଭୁଲି ନଥାଉ l ପଞ୍ଚୁକର ପାଞ୍ଚ ଦିନ ଆଉ ଗୁରୁବାର ମାଣବସା ସହିତ ରଙ୍ଗୋଲୀ ଆଉ ଝୋଟିଚିତାର ସମ୍ପର୍କ କେତେ ନିବିଡ଼ l ଆମ ଦେଖାଦେଖିରେ ହୋମଯଜ୍ଞରେ ବ୍ରାହ୍ମଣ ପକାଉଥିବା ପଞ୍ଚମୁରୁଜର ମଣ୍ଡଳ ସତେ କେଡ଼େ ଆକର୍ଷଣୀୟ !

ଏ ସବୁ ତ ଗଲା ଆମ ଓଡ଼ିଶାର କଥା, କିନ୍ତୁ ଆମର ଦକ୍ଷିଣ ଭାରତରେ କଥା ଟା ଟିକେ ନିଆରା l ଏଠି ସକାଳ ପାଏ ଝୋଟି ଚିତାରେ l ସକାଳୁ ଘରର ଆଗ ପରିସ୍କାର କରି ପାଣିରେ ଧୋଇ ଦେଇ ରଙ୍ଗ ବେରଙ୍ଗର ମୁରୁଜରେ ବିଭିନ୍ନ ଆକାରର ଚିତା ଅଙ୍କନ କରନ୍ତି ତାମିଲ ମହିଳାମାନେ l ଏମିତି କିଛି ବିଶେଷ ପର୍ବପର୍ବାଣୀ ବା ଉତ୍ସବର ଯାଏ ଆସେ ନାହିଁ l ଏହା ନିତିଦିନିଆ କାର୍ଯ୍ୟର ଏକ ଅଂଶ ଭାବରେ ପ୍ରଚଳିତ ତାମିଲ ସଂସ୍କୃତିରେ l ଏହି ରଙ୍ଗୋଲୀକୁ ତାମିଲ ଭାଷାରେ “କୋଲମ୍” କୁହାଯାଏ l ପ୍ରତିଦିନ ସବୁଠାରେ ଏହାର ପ୍ରଚଳନ l ଏହା ସାର୍ବଜନୀନ l ଆପଣ ନିଜ ଆଖିରେ ଦେଖିଲେ ହିଁ ଜାଣିପାରିବେ l ଘର ହେଉ, ମନ୍ଦିର ହେଉ, ଦୋକାନ, କାର୍ଯ୍ୟାଳୟ ସବୁଠାରେ କୋଲମ୍ କରାଯାଏ l ଏହି କୋଲମ୍ ଅଙ୍କନ କରି ଆଜି ବିଶ୍ୱ ପ୍ରସିଦ୍ଧି ଅର୍ଜନ କରିଥିବା ଜଣେ ତାମିଲ ମହିଳା ହେଉଛନ୍ତି ମଙ୍ଗଳମ୍ ଶ୍ରୀନିବାସନ୍ l ଆସନ୍ତୁ ଆଜି ତାଙ୍କ ବିଷୟରେ ଦୁଇପଦ କଥା ଜାଣିବା…
Image result for mangalam srinivasan rangoli
୫୩ ବର୍ଷୀୟା ମଙ୍ଗଳମ୍ ଶ୍ରୀନିବାସନ୍ ତ୍ରିଚି ନିକଟସ୍ଥ ଶ୍ରୀରଙ୍ଗମର ବାସିନ୍ଦା l ତାଙ୍କର ସ୍ୱାମୀ ସରକାରୀ ପଦବୀରେ ନିଯୁକ୍ତ l ମଙ୍ଗଳମ୍ ଶ୍ରୀନିବାସନ୍ ସ୍ନାତକ ଶିକ୍ଷା ସମାପ୍ତ କରି ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ; ଭାର୍ଗବୀ ଏବଂ ଐଶ୍ୱର୍ଯ୍ୟା l ନିଜର ରଙ୍ଗୋଲୀ ଅଙ୍କନ ପାଇଁ ସେ ଆଜି ଦେଶ ବିଦେଶରେ ପରିଚିତ l ତାଙ୍କର ଚିତ୍ରାଙ୍କନରେ ଏତେ ଯେ ଯାଦୁ ରହିଥିବା ସେ ନିଜେ ବି ଭାବି ଆଶ୍ଚର୍ଯ୍ୟ ହୁଅନ୍ତି l କେବଳ ଭାରତ ନୁହେଁ ଭାରତ ବାହାରେ ବହୁଲୋକ ତାଙ୍କର ପ୍ରଶଂସକ ଅଟନ୍ତି l କେବଳ ତାଙ୍କର ରଙ୍ଗୋଲୀର ଯାଦୁ ସମସ୍ତଙ୍କୁ ଚକିତ କରିଛି l ଆମେରିକା, ଦୁବାଇ, ୟୁରୋପ, ମାଲେସିଆ, ସିଙ୍ଗାପୁର ଏପରିକି ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ତାଙ୍କର ନୂତନ ଶୈଳୀର ରଙ୍ଗୋଲୀ ଦେଖିବାକୁ ଆଜି ପ୍ରଶଂସକମାନେ ଅପେକ୍ଷା କରି ରହୁଛନ୍ତି l ବିଭିନ୍ନ ପ୍ରକାରର ଚିତ୍ର ତାଙ୍କର ହାତରେ ଜୀବନ୍ତ ରୂପନିଏ l

କେବେ ପ୍ରକୃତିର ସୌନ୍ଦର୍ଯ୍ୟ, କେବେ ମନ୍ଦିରର ଦେବଦେବୀ, ପଶୁପକ୍ଷୀ, ନର୍ତ୍ତକ, ନର୍ତ୍ତକୀ କେତେ କଣ ଚିତ୍ର ସେ ନିଖୁଣ ଭାବରେ ରଙ୍ଗୋଲୀରେ ଅଙ୍କନ କରିଦେଇପାରନ୍ତି l

Image result for mangalam srinivasan rangoli

ନିଜେ ମଙ୍ଗଳମ୍ ଶ୍ରୀନିବାସନ୍ କୁହନ୍ତି ଯେ ତାଙ୍କର ଦୁଇ ଝିଅ ହିଁ ତାଙ୍କର ପ୍ରସିଦ୍ଧି ଏବଂ ଖ୍ୟାତି ପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ l ତାଙ୍କର ସ୍ୱାମୀଙ୍କର ଏଥିରେ ମଧ୍ୟ ସହଯୋଗ ରହିଛି l ରଙ୍ଗୋଲୀ ପ୍ରସ୍ତୁତ ସମୟରେ ତାଙ୍କର ସ୍ୱାମୀ ଫଟୋ ଉତ୍ତୋଳନ କରି ତାକୁ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲରେ ଛାଡ଼ିଥାନ୍ତି l ସେ କୁହନ୍ତି, ତାଙ୍କର ଏ ସବୁ ଡିଜିଟାଲ ପ୍ଲାଟଫର୍ମ ବିଷୟରେ କୌଣସି ଜ୍ଞାନ ନଥିଲା l ତାଙ୍କର ଦୁଇ ଝିଅ ତାଙ୍କୁ ୨୦୧୩ ମସିହାରେ କହିବାରୁ ସେ ଏହି ରଙ୍ଗୋଲୀ ଅଙ୍କନ କରି ଫେସ୍‌ବୁକ୍‌ରେ ଛାଡ଼ିବା ପାଇଁ ମନ ବଳାଇଲେ l ତାଙ୍କର ଦୁଇ ଝିଅ ବିବାହିତା l ତାଙ୍କର ଫେସ୍‌ବୁକ୍‌ ପେଜ ହେଉଛି My Mom’s Art Gallery l ନିଜର ରଙ୍ଗୋଲୀ ଶୈଳୀ ପାଇଁ ମଙ୍ଗଳମ୍ ଶ୍ରୀନିବାସନ୍ ଏତେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ତାଙ୍କର ଫେସ୍‌ବୁକ୍‌ ପେଜ ରୁ ହିଁ ଜଣ ପଡ଼େ l ୧ ଲକ୍ଷ ୧୪ ହଜାରରୁ ଅଧିକ ଫଲୋୟର l ଲାଇକ, କମେଣ୍ଟ, ସେୟାର ର ସୀମା ନାହିଁ l ନିଜ ଆଖିରେ ତାଙ୍କର ଚିତ୍ରକଳାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ l ରଙ୍ଗୋଲୀର ଶୈଳୀ ଏତେ ନିଖୁଣ ଯେ ଦେଖିବା ମାତ୍ରେ ଆଖି ଅଟକି ଯିବ l ସତେ ଯେମିତି ଜଣାପଡ଼ିବ ଜୀବନ୍ତ ଚିତ୍ରପ୍ରତିମା କିଛି କ୍ଷଣ ପାଇଁ ଓହ୍ଲାଇପଡ଼ିଛି ରଙ୍ଗୋଲୀର ଶୈଳୀରେ l ଗୋଟିଏ ବାକ୍ୟରେ କହିଲେ ତାଙ୍କର ଅଙ୍କନ ଶୈଳୀ ହେଉଛି ସ୍ପଷ୍ଟ, ନିଖୁଣ, ଏବଂ ଜୀବନ୍ତ l

ଏହି ଆକର୍ଷଣୀୟ ସୁନ୍ଦର ରଙ୍ଗୋଲୀ ପାଇଁ ସେ କୌଣସି ବିଧିବଦ୍ଧ ତାଲିମ ଗ୍ରହଣ କରିନାହାଁନ୍ତି l ସେ ପିଲାବେଳୁ ଏ ସବୁ ଚିତ୍ରାଙ୍କନ ଶୈଳୀ ତାଙ୍କର ମା’ଙ୍କ ଠାରୁ ଶିଖିଛନ୍ତି l ସେ ସାମୟିକ ଭାବରେ ତାମିଲନାଡୁ ସରକାରଙ୍କ ପ୍ରାୟୋଜିତ ତାଞ୍ଜର ଚିତ୍ରକଳା ଶିଖିଥିଲେ l ସେହି ଚିତ୍ରକଳାକୁ ସେ ନିଜ ରଙ୍ଗୋଲୀରେ ରୂପ ଦେଇଛନ୍ତି l ସେଥିପାଇଁ ଏହା ବହୁତ ପ୍ରସିଦ୍ଧି ଅର୍ଜନ କରିପାରିଛି ବୋଲି ସେ ମତବ୍ୟକ୍ତ କରନ୍ତି l ସେ କୁହନ୍ତି, ବେଳେ ବେଳେ ଗୋଟିଏ ଗୋଟିଏ ରଙ୍ଗୋଲୀ ଅଙ୍କନ କରିବା ନିମନ୍ତେ ୧ ରୁ ୧୨ ଘଣ୍ଟା ସମୟ ଲାଗିଯାଏ l ରଙ୍ଗୋଲୀର ଆକାର ଏବଂ ଡିଜାଇନ ଉପରେ ସମୟ ନିର୍ଭର କରେ l ରଙ୍ଗୋଲୀକୁ ବହୁତ ଆକର୍ଷଣୀୟ କରିବା ନିମନ୍ତେ ସେ ଖଡ଼ି ଗୁଣ୍ଡ, ଚାଉଳ ଗୁଣ୍ଡ, ପଥର ଗୁଣ୍ଡ ଏବଂ ଏକ ପ୍ରକାରର ରଙ୍ଗୀନ କାଦୁଅ ପ୍ରୟୋଗ କରିଥାନ୍ତି l

ଏହି ଆକର୍ଷଣୀୟ ଅଙ୍କନ ଶୈଳୀକୁ ଆଉ ପାଦେ ଆଗେଇ ନେବାକୁ ସେ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l ବର୍ଷ ସାରା ସେ ଏହି କାଳରେ ଆଗ୍ରହ ରଖୁଥିବା ବ୍ୟକ୍ତି ଏବଂ ଛୋଟ ପିଲାମାନଙ୍କୁ ଏହାର ତାଲିମ ପ୍ରଦାନ କରୁଛନ୍ତି l

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.