ରଙ୍ଗେଇନାନୀର ଅଭିଶାପ!!

rangei
Reading Time: 4 minutes

” ଆରେ ହେ, କୋଉ ଲକ୍ଷ୍ମୀଛଡ଼ା, ନିଅଂଶିଆକୁ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଯେ-ସିଏ ମୋଅରି ବାଡ଼ିରୁ କାକୁଡ଼ି ଚୋରେଇବାକୁ ସାହସ କଲା ! ତୋଳିଲା ବେଳକୁ ଭଲା ତା’ ହାତ ଛିଡ଼ି ପଡ଼ିଲାନି କେମିତି ? ମଞ୍ଜିପୋତି କେଡ଼େ ଯତନରେ କାକୁଡ଼ି ଗଛଟା ବଢ଼େଇ ଥିଲି ବାଡ଼ିରେ। ମନାସିଥିଲି-ପହିଲି କଷିଟା ଠାକୁର ପାଖରେ ଭୋଗ ଲଗେଇବାକୁ । ଭଲା,କୋଉ ଡାହାଣୀଖିଆର ନଜର ପଡ଼ିଲା ତହିଁରେ , ଆଖି ତା’ର ଫୁଟି ନ ଗଲା ଯାହା ; ମୋ’ରି ପରି ନିଆଶ୍ରୀ ନିରୀହା ତିରିଲାର ଦରବରେ ହାତ ମାରିଲା – ହେ ଦଇବ,ତୁ ତାକୁ ବୁଝିବୁ,ସାତବେଣ୍ଟି କରି ଲୋକହସା କରିବୁ । ତା’ ସାତ ପୁରୁଷକୁ ନରକରେ ପକେଇବୁ । ମୋର ଯେତେ ରୋଗ ବ୍ୟାଧି ତାଆରି ଠେଇଁ ଫଳେଇବୁ….।”

ଇଏ ଆମ ଗାଆଁର ରଙ୍ଗେଇନାନୀ ।ଆଜି ପାଟିରେ ତା’ର ବାଟୁଳି ବାଜୁନି ।ଦାନ୍ତକୁ ରଗଡ଼ି ହାତକୁ ଝାଡ଼ି ପଣତକୁ ଉଡ଼େଇ ଉଡ଼େଇ ଦୁମୁଦୁମୁ ହୋଇ ଗାଁ ଦାଣ୍ଡରେ ମାଡ଼ି ଚାଲିଛି ଆଗକୁ ।ଶାଣଦେଲା କ୍ଷୁର ଭଳି ଧାର କଥାଗୁଡ଼ା,ସାଇ ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଘୁରି ଘୁରି ଲୋକଙ୍କୁ ଶୁଣେଇ ଚାଲିଛି ଅନର୍ଗଳ । ପୁଣି ଭଗବାନଙ୍କୁ ସେ ତା’ର ଆଜ୍ଞାବହ ବଚସ୍କର ମନେକରି ନିର୍ଦେଶ ବି ଦେଉଛି-ଅଭିଶାପକୁ ସତ ଫଳେଇବାକୁ !

ନାନୀର କିଳିକିଳା ରଡ଼ି ଶୁଣି ଆଉ ରଣଚଣ୍ଡୀ ରୂପଦେଖି ସାଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଗଲାଣି । କେତେଜଣ ତା’ ଅଗୋଚରରେ ଫୁସୁରୁ ଫାସର ହେଲେ-

“ମଲା ,କାହାର ରାହୁଦଶା ନ ପଡିଲା ଯେ ଜାଣିଶୁଣି ନାଗ ଲାଙ୍ଗୁଡ଼ରେ ହାତ ମାରିଲା…!”

ରଙ୍ଗେଇନାନୀ- ଏଇ ଗାଆଁର ଝିଅ ଆଉ ବୋହୂ ମଧ୍ୟ ।ବାହାଘର ମାସ ଛଅଟା ନ ପୂରୁଣୁ ରୋଗରେ ପଡ଼ି ତା’ ସ୍ବାମୀ ଚାଲିଗଲା ଆର ପାରିକୁ ।ଚାରିମାସ ପରେ ଜନ୍ମାନେଲା ପୁଅଟିଏ- ମାଧିଆ, ରଙ୍ଗେଇନାନୀର ଏକୋଇରବଳା ବିଶିକେଶନ ।ବରଷକ ଅନ୍ତେ ଶାଶୁବୁଢ଼ୀଟା ମଧ୍ୟ ଆଖି ବୁଜିଲା ।ନିରାଶ୍ରୟା ହୋଇଗଲା ସିଏ ।

ଗାଆଁ ଝିଅଟା ଆଖି ଆଗରେ ହୀନିମାନ ହେବ ! ସାଇ ଲୋକଙ୍କ ଦେହ ସହିଲାନି ।ସଭିଏଁ ମିଳିମିଶି ସହଯୋଗର ହାତ ବଢ଼ାଇଲେ ।ଘର ଦୁଇ ବଖରା ଛପର କରିଦେବା ସହ ନାନୀର ପଡ଼ିଆ ପଡ଼ିଥିବା ଜମିକୁ ଭାଗଚାଷ କରିଦେଲେ କେତେଜଣ ।
ଏଥିରେ ପ୍ରସନ୍ନ ହୋଇ ନାନୀ ସାଇ ଲୋକଙ୍କ ମଙ୍ଗଳ ମନାସିଲା ଠାକୁରଙ୍କ କତିରେ ।ବେଳ ଅବେଳରେ ବୋଲହାକ ମଧ୍ୟ କଲା ସେମାନଙ୍କର ।

ଏମିତିରେ କିଛି ବର୍ଷ ବିତିଲା ।ଭଲରେ ମନ୍ଦରେ ପାଇଟି କରାଇବାକୁ ଯେଉଁ ପଡ଼ୋଶୀମାନେ ରଙ୍ଗେଇନାନୀର ସାହାଯ୍ୟ
ଲୋଡ଼ୁଥିଲେ ସେଇ ଲୋକଗୁଡ଼ା ବର୍ଷ କେତେଟାରେ କୋଠା ତୋଳିଲେ ।ମଟର ଗାଡ଼ି ଚଢ଼ିଲେ ।ତାଙ୍କ ଝିଅ-ବୋହୂଙ୍କ ଦେହରେ ଭଳିକିଭଳି ବସନ ଭୂଷଣ ଝଟକିଲା ।ହାସ ପରିହାସରେ ଫାଟିପଡ଼ିଲା ଘର ଅଗଣା ; କିନ୍ତୁ ନାନୀର ଅବସ୍ଥା ରହିଗଲା ଯେମିତି କି ସେମିତି ।ପରିଶ୍ରମ କରି ଯାହା ପାଇଲା ସେଥିରେ ନିଜେ ଚଳିବା ସହ ପୁଅକୁ ମଧ୍ୟ ପାଳିଲା ।କୋଠା ତୋଳିଥା’ନ୍ତା କେମିତି ?ପଡ଼ୋଶୀମାନଙ୍କ ସୁଖ-ଶିରୀ ଦେଖି ଏଣିକି ନାନୀର ମରମ ଜଳିଲା।ଈର୍ଷା ବଢ଼ିଲା ।ଧୀରେ ଧୀରେ ତା’ ସ୍ୱଭାବରେ ଘଟିଲା ପରିବର୍ତ୍ତନ ।ସେ ହସିବା ଭୁଲିଗଲା ।ଯାହାକୁ ଦେଖିଲା ମୁହଁ ମୋଡ଼ିଲା,ଗାରୁ ଗାରୁ ହେଲା ।ଛୋଟ ଛୋଟ କଥାରେ ୟା ତା’ ସହ ଝଗଡ଼ା କଲା ।ଅନ୍ୟର ଅମଙ୍ଗଳ ପାଞ୍ଚି ଅଭିଶାପ ଦେଲା ।ଏଥର ନାନୀ ପାଲଟିଗଲା ଜଣେ ରାହାବାଳୀ,କଳିହୁଡ଼ି ପର ହିଂସୁକି ମହିଳା ।

କେବଳ ସେତିକି ନୁହେଁ ,କିଏ କାଳେ ତା’ର ଅଦ୍ଭୁତ ଦୈବୀଶକ୍ତିର ପ୍ରଚଣ୍ଡ ପ୍ରଭାବକୁ ବିସ୍ମରଣ କରିଯିବେ
-ତେଣୁ ତୁଣ୍ଡ ଖୋଲିଲେ ସେ ଅକାଟ୍ୟ ଯୁକ୍ତି ଦର୍ଶାଏ ।ବାରବର୍ଷ ଧରି-ତା’ ଗେରସ୍ତ ଯିବା ଉତ୍ତାରୁ ବାରଓଷା ତେରବ୍ରତ କରି ସେ କେତେ ଦିଅଁ ଦେବତା ପୂଜି ସିଦ୍ଧିଲାଭ କରିଛି ।ନିରିମାଖୀ ଦେଖି ଯିଏ ତା’ର ଅନିଷ୍ଟ କରିବ ,ଅଭିଶାପ ଦେଇ ସେ ତାକୁ ଭସ୍ମ କରିଦେବ ।ଅବଶ୍ୟ ପ୍ରଥମେ ପ୍ରଥମେ ସାଇ ଲୋକମାନେ ନାନୀର ଏ ଅଦ୍ଭୁତ ଶକ୍ତି ଥିବାର ଯୁକ୍ତିକୁ ହେୟଜ୍ଞାନ କରି ହସି ଉଡ଼େଇ ଦେଉଥିଲେ ।ହେଲେ ସାହିର କେତେଜଣ ସ୍ତ୍ରୀ ଲୋକ ଯେତେବେଳେ ଏହାର ଚାକ୍ଷୁଷ ପ୍ରମାଣ ପାଇଲେ ,ସେତେବେଳେ ତାଙ୍କର ଅବିଶ୍ୱାସ କରିବାକୁ ଆଉ ବାଟ ନ ଥିଲା ।ନାନୀର ଅଭିଶାପ ପ୍ରତି ଭୟ ଆଉ ଖାତର ମଧ୍ୟ ଆସିଗଲା ।

ସେ ବର୍ଷ ତଳ ସାହି ସାହୁଘର ବାରବୁଲି ଛେଳିଟା ରଙ୍ଗେଇନାନୀର ବାଡ଼ିରେ ପଶି ଶାଗ ଖାଇଯିବାରୁ ସେ ତାକୁ ଶାପ ଦେଲା, ” ତୁ ଅଳପ ଦିନରେ ହାଣ ମୁହଁକୁ ଯିବୁ ଲୋ ଛେଳି ।ତୋତେ କଂସେଇ ନେବ ।”

ବାସ, ନାନୀର ବଚନ ସତ ହେଲା ।ଦୁଇଦିନ ପରେ ଛାଡ଼ଖାଇରେ ସେ ଛେଳି ବଳି ପଡ଼ିଲା ।ଆଉଥରେ ମଦନ କକେଇ ଝିଅ ଚମେଲି ଦିନ ଦ୍ବିପହରେ ଲୁଚି ଲୁଚି ନାନୀର ବାଡିରୁ ପିଜୁଳି ତୋଳି ଖାଉଥିଲା ।ମୁଣ୍ଡଫଟା-ଢୁ ଢୁ ଖରାରେ ବି ନାନୀ-ତୁଚ୍ଛା ବଗିଚାଟାରେ ମଝିରେ ମଝିରେ ଆସି ନଜର ପକାଏ ।ସେଦିନ ଚମେଲି ଉପରେ ତା’ର ଦୃଷ୍ଟି ଯେମିତି ପଡ଼ିଯାଇଛି,ଛାଡ଼ିଲା ଗୋଟାଏ କିିଳିକିଳା ରଡ଼ି ।

” ହଇଲୋ ହେ ଅଣ୍ଡିରି ଚଣ୍ଡୀ ,ତୋର ଏଡ଼େ ବହପ ,ମୋଅରି ବାଡ଼ିରେ ପଶି ,ଦିନ ଦିପହରେ ଗଛରେ ଚଢ଼ି ଚୋରି କରୁଛୁ !ଦେଖିବୁ ରହ,ଯୋଉ ହାତରେ ମୋ ଗଛର ଡାଳ, ଫଳ ଛିଣ୍ଡେଇ ନଷ୍ଟ କରିଛୁ-ସେଇ ହାତଟା ତୋର ରଟକିନା ଭାଙ୍ଗିଯିବ। ”

ରଙ୍ଗେଇନାନୀର ତୁଣ୍ଡରୁ କଥା ଛିଡ଼ିନି-ଅସାବଧାନତାରୁ ହେଉ ବା ନାନୀର ଗର୍ଜନରେ ଚମକିପଡ଼ି ହେଉ ଚମେଲି ଗଛରୁ ଭୁସକିନା ଗଳି ପଡ଼ିଲା ।ସେଇଠି ଡାଳ ବାଜି ତା’ ହାତଟା ଭାଙ୍ଗିଗଲା । ଆଉ ହାତରେ ପଟି ବାନ୍ଧି, ବେକରେ ଝୁଲେଇ ଦୁଇ ମାସ ଯାଏ ଯେଉଁ କଷ୍ଟ ଭୋଗିଛି ଚମେଲି, ନାନୀର ଅଭିଶାପକୁ ସିଏ କେବେ କଣ ଭୁଲି ପାରିବ!

ଆଉଥରେ ସାଇ ପିଲାମାନେ ତା’ ଚାଳ ଉପରକୁ ହାତ ଦେଖାଇ ଆଙ୍ଗୁଠିରେ କଖାରୁ ଗଣୁଥିଲେ । ଏକ ଦୁଇ ତିନି ଚାରି….. କୁଆଡ଼େ ଥିଲା- ନାନୀ ଝପଟି ଆସି ନିଜର ଶାପମୁଣି ଝାଡ଼ିଲା ,

” ହଇରେ ହେ ଡାଆଣାପଲ ,ମୋଅରି କଖାରୁ ଉପରେ ନଜର ପକଉଛ ! ଆଖି ତମର ଫୁଟି ଯାଆନ୍ତା କି ,ଗାଆଁ ଠାକୁରାଣୀ କତିରେ ନଡ଼ିଆ ଫଟାନ୍ତି ।” ସତକୁସତ ଦିନଟାଏ ନ ଯାଉଣୁ ଦୁଇଜଣ ପିଲା ଆଖିଧରା ରୋଗରେ ଆକ୍ରାନ୍ତ ହେଲେ ,ସପ୍ତାହେ କାଳ କଷ୍ଟ ଭୋଗିଲେ ।

ସେଇଦିନ ଠାରୁ ନାନୀର ନିଜ ଅଭିଶାପ ଉପରେ ପୂର୍ଣ୍ଣ ବିଶ୍ୱାସ ଆସିଲା ।ଆଉ ଦୃଢ଼ ଦାବି ମଧ୍ୟ । ସାଇ ଲୋକମାନେ ବି କେବେ ପ୍ରତିବାଦ କରନ୍ତିନି ତା’ ଦାବିରେ । ସେମାନେ ପରା ଭୁକ୍ତଭୋଗୀ !

ଆଜି ପୁଣି ସେଇ ରଙ୍ଗେଇନାନୀର ତୁଣ୍ଡରୁ ଅଭିଶାପର
ଆଗ୍ନେୟଲାଭା ଉଦ୍ଗୀରଣ ହେଉଛି ।କିଏ ସେହି ହତଭାଗା ମନ୍ଦବୁଦ୍ଧି ମଣିଷ ! ନାନୀର ଦରବରେ ହାତମାରି,ଜାଣିଶୁଣି ନିଜ ଅମଙ୍ଗଳକୁ ବରଣ କରିଛି !!

ରଙ୍ଗେଇନାନୀ ସାଇ ସେ ମୁଣ୍ଡରୁ ଏ ମୁଣ୍ଡଯାଏ ଦୁମୁ ଦୁମୁ ହୋଇ ସଅମ୍ପି ଚାଲିଥାଏ ସେମିତି ।ହଠାତ ଆର ମୁଣ୍ଡରୁ ଗୋଳ ଶୁଭିଲା,
” ମାରି ପକେଇଲା ଗୋ କଚାଡ଼ି ଦେଲା ,କିଏ କେଉଁଠି ଅଛ ଦୌଡ଼ି ଆସ ।” ଯିଏ ଯେଉଁଠି ଥିଲେ ପାଟି ଶୁଣି ଧାଇଁଲେ ।
ଦେଖିଲେ ,ରଙ୍ଗେଇନାନୀର ଏକୋଇରବଳା ମାଧିଆ ଖଣ୍ଡିଆ ଖାବରା ହୋଇ ଧୂଳିରେ ଗଡ଼ୁଛି।ଦୁଇ ଚାରିଜଣ ଲୋକ ଠେଙ୍ଗାଧରି ଗୋଡ଼ାଇ ଘଉଡ଼ାଉଛନ୍ତି ଗୋଟାଏ ଷଣ୍ଢକୁ ।କଥା କ’ଣକି,ମାଧିଆ ତେଣେ ସାଇ ମୁଣ୍ଡରେ ବୁଲି ବୁଲି କାକୁଡ଼ି ଚୋବାଉ ଥିଲା ।ସାମନାରୁ ହାବୁଡ଼ିଲା ବୁଲା ଷଣ୍ଢଟାଏ ।ନାନୀର ନନ୍ଦନ ତ ! ଡର କାହାକୁ !!ଆଡ଼େଇ ନ ଯାଇ ସଦର୍ପରେ ଢେଲାଟାଏ ଫୋପାଡ଼ିଲା ଷଣ୍ଢ ଉପରକୁ ।ସେଇଠୁ ଷଣ୍ଢକୁ ଆଉ ସମ୍ଭାଳେ କିଏ ?ମାଧିଆକୁ ଭୁଷି କଚାଡ଼ି ଦେଲା ।

ସାଇ ପଡ଼ିଶାର ଲୋକମାନେ ଝଡ଼ାଝଡ଼ି କରି ମାଧିଆକୁ ତଳୁ ଉଠାଉଥା’ନ୍ତି । କେଇଜଣ ସ୍ତ୍ରୀଲୋକ ଚୁପି ଚୁପି କଥା ହେଉଥାନ୍ତି- ଏଇଟା ନାନୀ ଅଭିଶାପର ଫଳ ନୁହେଁ ତ! ମାଧିଆ ମାଆକୁ ନ ଜଣେଇ ନିଜ ବାଡିରୁ କାକୁଡି ତୋଳି ଖାଇବାରୁ ଏ ଦୁର୍ଦଶା ଭୋଗିଲା କି ! ଧାଇଁ ଆସୁ ଆସୁ ପୁଅର ଅବସ୍ଥା ଦେଖି ନାନୀର ମୁଣ୍ଡ ଘୁରିଗଲା ।ସେ ଲଥ କରି ବସି ପଡ଼ିଲା । ପୁଅକୁ କୋଳକୁ ଆଉଜାଇ ତା’ ମୁଣ୍ଡକୁ ଆଉଁଶି ବାହୁନିବାକୁ ଲାଗିଲା ।
” ମୋ ଧନରେ….ମୋ ସୁନାରେ…ତୋର କଅଣ ହେଲାରେ ବାପ….।”

ଗାଆଁ ଲୋକ ମିଶି ମାଧିଆକୁ ଡାକ୍ତରଖାନାକୁ ନେଇଗଲେ ।ସେଠାରେ ତା’ର ଆଶୁ ଚିକିତ୍ସା କରାଇ ଔଷଧ ନେଇ ଘରକୁ ଫେରିଲେ ।

ସେଇଦିନ ଠାରୁ ରଙ୍ଗେଇନାନୀର ଚେତା ପଶିଲା ।ଈର୍ଷା କରି ଅନ୍ୟର ଅମଙ୍ଗଳ ଲାଗି ସେ ଦେଉଥିବା ଅଭିଶାପ ସବୁ ସତ ଫଳୁଛି । ଅଜାଣତରେ ହେଉପଛେ , କ୍ରୋଧ ଆଉ ଶାପ ଯୋଗୁଁ ଆଜି ତା’ର
ନିଜ ପୁଅ ମହାବିପତ୍ତିରେ ପଡ଼ିଲା ।ତେଣୁ ଏଣିକି ଆପଣାତୁଣ୍ଡ ଏବଂ ରାଗ ଉପରେ ଲଗାମ ଦେବାକୁ ସେ ମନସ୍ଥ କଲା ।

ତା’ ପରଠାରୁ ଶାଣଦେଲା କ୍ଷୁରଭଳି ଧାର କଥାକହି ନାନୀ ଆଉ କାହାର ମରମ ଦହୁନି । ମୁରୁକି ହସି ଫୁଲଭଳି କୋମଳ ବଚନ ଭାଷି ,ଦଦେଇ,ଖୁଡ଼ୀ,ଦେଠେଇ ଏବଂ ସାଇ ଭାଇ ଭଉଣୀମାନଙ୍କ ଅନ୍ତର ଜିଣୁଛି ।

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.