
ଆତ୍ମାକୁ ଜରା ଗ୍ରସ୍ତ କଲା।
ପଞ୍ଚାଳ ବିଷୟ ତା ଗଲା।
ଦୁରନ୍ତ ଚିନ୍ତା ପାଇ ରାୟେ।
ନ ଦେଖେ ତରିବା ଉପାୟେ।
ସେ କନ୍ୟା ସ୍ପରଶେ ନିର୍ବଳ।
ଏକାନ୍ତେ ଝୁରେ ମହୀପାଳ।
ନିର୍ବଳ ଦେଖି ନିଜ ଦେହ।
ଛାଡ଼ିଲେ ପୁତ୍ର ଆଦି ସ୍ନେହ।
ସ୍ଵପୁର ଲୋକ ଚିନ୍ତା କଲା।
ସେ କାଳକନ୍ୟା ଏହା କଲା।
ସେ ପୁର ଛାଡିବାରେ ମନ।
ରୋଦନ କରେ ଅନୁକ୍ଷଣ।
ନ ପାରେ ସହି ଦୁଃଖ ଘୋର।
ସେ ନିଶ୍ଚେ ଛାଡ଼ିବ ଶରୀର।
ଭ୍ରମ ତା ହେଲା ନିଜ ମତି l
ଆତୁରେ ଭାଳଇ ନୃପତି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଚତୁର୍ଥ ସ୍କନ୍ଧ,ଅଷ୍ଟାବିଂଶ ଅଧ୍ୟାୟ )
ପ୍ରସଙ୍ଗ – ପୁରଞ୍ଜନ ଉପାଖ୍ୟାନ
ଅର୍ଥ –
ମହର୍ଷି ନାରଦ ରାଜା ପ୍ରାଚୀନବର୍ହିଙ୍କୁ କହିଲେ ହେ ରାଜନ୍! ରାଜା ପୁରଞ୍ଜନଙ୍କର ଶରୀର ଜରାଗ୍ରସ୍ତ ହେବାରୁ ତାଙ୍କର ବଳ ଏବଂ ସୌନ୍ଦର୍ଯ୍ୟ ଚାଲିଗଲା ଓ ସେ ସମସ୍ତ ବିଷୟ ସୁଖ ଭୋଗ କରିବାର ସାମର୍ଥ୍ୟ ହରାଇ ବସିଲେ।ଜରାଗ୍ରସ୍ତ ହୋଇ ନିର୍ବଳ ହୋଇ ଯାଉଥିବା ନିଜର ଶରୀରକୁ ଦେଖି ସେ ପୂର୍ବରୁ ଥିବା ନିଜର ରୂପକାନ୍ତି ଓ ବିଷୟ ଭୋଗ ସୁଖକୁ ଝୁରି ମନେ ମନେ ଦୁଃଖିତ ହେଉଥିଲେ। ତାଙ୍କର ଜରାଜୀର୍ଣ୍ଣ ଦୁର୍ବଳ ଶରୀରକୁ ଦେଖି ପୁତ୍ର ଆଦି ଆତ୍ମୀୟ ସ୍ଵଜନ ମାନେ ମଧ୍ୟ ତାଙ୍କୁ ଆଉ ପୂର୍ବ ଭଳି ସ୍ନେହ ଆଦର କରୁ ନଥିଲେ। ଏହି ଭଳି ଦୁଃଖ ଓ ଦୁର୍ଦ୍ଦଶାରୁ ମୁକ୍ତିଲାଭ କରିବାର କୋୖଣସି ଉପାୟ ନ ଦେଖି କାଳକନ୍ୟା ଜରା ତାଙ୍କର କି ଦୁର୍ଦ୍ଦଶା କଲା ବୋଲି ଭାବି ରାଜା ଭୀଷଣ ଚିନ୍ତାଗ୍ରସ୍ତ ହୋଇ ପଡିଲେ। ଏହି ଜରାଜୀର୍ଣ୍ଣ ଶରୀର ଯେ ଆଉ ବେଶୀଦିନ ରହିବ ନାହିଁ ଓ ନିଜର ଆତ୍ମୀୟ ସ୍ଵଜନ ମାନଙ୍କୁ ଛାଡ଼ି ତାଙ୍କୁ ଯେ ନିଶ୍ଚିତ ମୃତ୍ୟୁ ମୁଖରେ ପଡିବାକୁ ହେବ ଏହି କଥା ଚିନ୍ତାକରି ସେ ଅସହ୍ୟ ଦୁଃଖ ଏବଂ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଓ ତାଙ୍କର ମନ ସ୍ଥିର ରହୁ ନଥିଲା। ଶରୀର ଛାଡ଼ିବା ଦୁଃଖରେ ଚିନ୍ତାଗ୍ରସ୍ତ ହୋଇ ସେ ନିରନ୍ତର ମନ ଭିତରେ ଶୋକାକୁଳ ହୋଇ ପଡୁଥିଲେ।
ଭାବାର୍ଥ –
ବାର୍ଦ୍ଧକ୍ୟ ସମୟ ଉପନୀତ ହେଲେ ଅବିଦ୍ୟା ଯୁକ୍ତ ଜୀବର ଶରୀରର ରୂପକାନ୍ତି ନଷ୍ଟ ହୋଇଯାଏ ଏବଂ ତାର ଇନ୍ଦ୍ରିୟମାନେ ବିଷୟ ସୁଖ ଭୋଗ କରିବାକୁ ଅସମର୍ଥ ହୋଇ ଯାଆନ୍ତି।ସେ ତାର ପୂର୍ବର ସୌନ୍ଦର୍ଯ୍ୟ ଓ ବିଷୟ ସୁଖ ଭୋଗକୁ ଝୁରି ଝୁରି ମନେ ମନେ ସର୍ବଦା ଦୁଃଖିତ ହୁଏ। ତାର ଜରାଜୀର୍ଣ୍ଣ ଶରୀରକୁ ଦେଖି ତାକୁ ଖୁବ୍ କମ୍ ଦିନର ଅତିଥି ବୋଲି ଭାବି ଶରୀର ସହିତ ସମ୍ପର୍କିତ ଆତ୍ମୀୟସ୍ଵଜନ ମାନେ ତାକୁ ଆଉ ପୂର୍ବ ଭଳି ସ୍ନେହ ଓ ଆଦର କରନ୍ତି ନାହିଁ।ଆସନ୍ନ ମୃତ୍ୟୁର ଭୟ ଏବଂ ଶରୀର ଓ ବନ୍ଧୁ ପରିଜନ ମାନଙ୍କୁ ଛାଡ଼ି ମୃତ୍ୟୁ ବରଣ କରିବା ଦୁଃଖରେ ଚିନ୍ତିତ ହୋଇ ସେ ସର୍ବଦା ଦୁଃଖ ଓ ଯନ୍ତ୍ରଣାରେ କାଳାତିପାତ କରିଥାଏ।
🌸🙏ଶୁଭ ସକାଳ l ଜୟ ଜଗନ୍ନାଥ🙏🌸