ଓଃ ! ରାଗ ଲଙ୍କା! - Utkal Odisha

ଓଃ ! ରାଗ ଲଙ୍କା!

BhutJolokia09 Asit
Reading Time: 2 minutes

ଆମେ ମାନେ ଏମିତି ପ୍ରତିଦିନ ରୋଷେଇରେ ଆଉ ଭୋଜନରେ ଅଳ୍ପ ବହୁତ ଲଙ୍କାର ବ୍ୟବହାର କରୁଛେ। କେବେ କେମିତି ଲଙ୍କାର ମାତ୍ରା ଅଧିକ ହୋଇଗଲେ ଆମେ ଉହୁଃ ଉହୁଃ ହଉଛେ ଆଉ ଖାଇବାଟା ଆମର ଟିକେ ଗଡ଼ବଡ଼ ହଉଛି। ଆମରି ମାନଙ୍କ ମଧ୍ୟରୁ କିଛି କିଛି ଲୋକ ମଧ୍ୟ ରାଗ ଖାଇବାରେ ବେଶ ସଉକ ରଖନ୍ତି। ସେମାନଙ୍କର ସ୍ୱତନ୍ତ୍ର ଭାବରେ ରାଗ ଦରକାର ହୁଏ। ଜଳଖିଆ ଦୋକାନ ହେଉ ବା ହୋଟେଲ ହେଉ ସବୁବେଳେ ଟିକେ ଅଧିକ ରାଗ ସେମାନେ ଲୋଡ଼ିଥାନ୍ତି। ଆଜି ଗୋଟିଏ ଲଙ୍କା ବିଷୟରେ କିଛି ତଥ୍ୟ ସମୀକ୍ଷା କରିବା ଯେଉଁଟି କି ରାଗ ପାଇଁ ପୃଥିବୀରେ ପ୍ରସିଦ୍ଧ ଅଟେ। ଏହି ଲଙ୍କାଟି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଶେଷ ଭାବରେ ମିଳୁଥିବା ଏହି ଲଙ୍କାଟିର ନାଁ ହେଉଛି ଭୂତ ଜୋଲକିଆ। ସତରେ ଏହି ଲଙ୍କାର ଟିକେ ଅଂଶକୁ ପାଟିରେ ଦେଉ ଦେଉ ରାଗ ଭୂତ ପରି ସବାର ହୋଇଯାଏ। ଏପରିକି, ଏହି ଭୂତ ଜୋଲକିଆ ଲଙ୍କାର ଗୋଟିଏ ମାତ୍ର ମଞ୍ଜିର ରାଗ ତୀବ୍ରତା ଅଧା ଘଣ୍ଟା ପର୍ଯ୍ୟନ୍ତ ରହେ। ଏହାର ଟିକେ ମାତ୍ରା ଖାଦ୍ୟକୁ ଅତ୍ୟନ୍ତ ରାଗୁଆ କରିଦିଏ। ଏହି ଲଙ୍କାର ଟିକେ ଅଂଶ ପାଟିରେ ଲଗାଇଲେ ପାଞ୍ଚଘଣ୍ଟା ଧରି ଏହାର ପ୍ରଭାବବି ରହେ ଏବଂ ଆଖିରୁ ଲୁହ ଏବଂ ନାକରୁ ପାଣି ବାହାରେ। ଏହା ଅବିଶ୍ୱସନୀୟ, କିନ୍ତୁ ସତ୍ୟ ଅଟେ। ଯଦି ଆପଣ ବହୁତ ରାଗ ଖାଇବାକୁ ପସନ୍ଦ କରନ୍ତି ତେବେ ଆସାମରେ ଏହି ଲଙ୍କାରୁ ପ୍ରସ୍ତୁତ ମସଲା ବାଟ ମିଳୁଛି। କିନ୍ତୁ ଏହି ଲଙ୍କାକୁ ଖାଇବାରେ ନିଶ୍ଚିତ ଭାବରେ ସାବଧାନତା ଅବଲମ୍ବନ କରିବେ, ଯେପରିକି ଏହା ଆପଣଙ୍କର ଚର୍ମରେ କିମ୍ବା ଆପଣଙ୍କର ଆଖିରେ ଲାଗି ନଯାଏ।

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲଙ୍କାକୁ ବ୍ୟବହାର କରି ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନେ ପ୍ରଭାବଶାଳୀ ବୋମା ଏବଂ ବିସ୍ଫୋଟକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ସାମଗ୍ରୀକୁ ଶତ୍ରୁ ଦମନ ତଥା ଜନତାଙ୍କର ଦଙ୍ଗାକୁ ଦମନ କରିବାରେ ଉପଯୋଗ କରାଯାଉଛି। ବ୍ରହ୍ମପୁତ୍ର ନଦୀର ଉତ୍ତର ଭାଗରେ ଏହି ଲଙ୍କା “ଭୂତ ଜୋଲକିଆ” ନାମରେ ପରିଚିତ ଅଟେ। କେତେକ ଏହାର ନାମକୁ ଭୁଟାନ ସହିତ ଯୋଡ଼ିଥାନ୍ତି, କିନ୍ତୁ ଭୁଟାନର ଜଳବାୟୁ ଏହି ଲଙ୍କା ନିମନ୍ତେ ଉପଯୋଗୀ ନୁହେଁ ତେଣୁ ଏପରି ତଥ୍ୟ ଅମୂଳକ ଅଟେ। ଆସାମ ରାଜ୍ୟର କେତେକ ଅଞ୍ଚଳରେ ଲୋକମାନେ ଏହି ଲଙ୍କାକୁ “ବିହ ଜୋଲକିଆ” ନାମରେ କହିଥାନ୍ତି।

ଆସାମୀ ଭାଷାରେ “ବିହ” ର ଅର୍ଥ ହେଉଛି ବିଷ। ଏହି ଲଙ୍କାର ରାଗ ଅତ୍ୟନ୍ତ ତୀବ୍ର ଏବଂ ଉତ୍କଟ ହୋଇଥିବାରୁ ଏହାର ନାମ ଏପରି ହୋଇଛି। ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ତଟରେ ଏହି ଲଙ୍କା ନାଗ ଯୋଦ୍ଧାମାନଙ୍କର ନାମାନୁସାରେ “ନୋଗା ଜୋଲକିଆ” ନାମରେ ପରିଚିତ ଅଟେ। ଆସାମର ସହର ତେଜପୁର ଅନୁସାରେ ଏହାକୁ ତେଜପୁର ଲଙ୍କା ମଧ୍ୟ କୁହାଯାଏ। ମଣିପୁରରେ ଏହି ଲଙ୍କା “ଉମରୁକ୍‌” ନାମରେ ପ୍ରସିଦ୍ଧ। ଏହି ଲଙ୍କାର ଉପରିଭାଗ ଦେଖିବାକୁ ଆବୁଡ଼ାଖାବଡ଼ା ହୋଇଥାଏ ଏବଂ ଏହା ହଳଦିଆ, ଲାଲ୍‌, କମଳା ଏବଂ ଚକୋଲେଟ୍ ରଙ୍ଗର ହୋଇଥାଏ। ଏହି ଲଙ୍କାରେ ପ୍ରଚୁର ପରିମାଣରେ କାପାସାଇସିନ୍ ରହିଥାଏ। ଏହାକୁ କଞ୍ଚା ଏବଂ ଶୁଖିଲା ଭାବରେ ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତିରେ, ମସଲା ପ୍ରସ୍ତୁତିରେ, ଚଟଣୀ ଏବଂ ଆଚାର ପ୍ରସ୍ତୁତିରେ ଏହି ଲଙ୍କାକୁ ବ୍ୟବହାର କରାଯାଏ। ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଏହାକୁ ଶୁଖୁଆ ଏବଂ ଶୂକର ମାଂସର ବ୍ୟଞ୍ଜନ ପ୍ରସ୍ତୁତିରେ ଏହି ଲଙ୍କାକୁ ବହୁତ ବ୍ୟବହାର କରାଯାଏ।

ଭାରତର ଉତ୍ତର-ପୂର୍ବ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ଲୋକମାନେ ହାତୀ ଦାଉରୁ ରକ୍ଷା ପାଇବା ନିମନ୍ତେ ଏହି ଲଙ୍କାକୁ ବାଡ଼ରେ ଲେପନ କରିଦିଅନ୍ତି ଏବଂ ଏଥିରେ ଧୂଆଁ ସୃଷ୍ଟିକାରୀ ବୋମା ପ୍ରସ୍ତୁତ କରି ହାତୀଙ୍କ ଉପରକୁ ନିକ୍ଷେପ କରନ୍ତି। ପାରମ୍ପରିକ ଭାବରେ ବିଭିନ୍ନ ରୋଗର ଔଷଧ ଭାବରେ ଏହି ଲଙ୍କାର ବ୍ୟବହାର କରାଯାଏ। ଚିକିତ୍ସା ବିଜ୍ଞାନ ଅନୁସାରେ ଏଥିରେ ଥିବା କାପାସାଇସିନ୍‌ ଆମର ରକ୍ତ ଶିରାଗୁଡ଼ିକୁ ପ୍ରସାରିତ କରେ ଏବଂ ରକ୍ତ ପ୍ରବାହ ଠିକରେ ହୁଏ। କାପାସାଇସିନ୍‌ ଆମର ହଜମ ସଂକ୍ରାନ୍ତୀୟ ବିଶୃଙ୍ଖଳା ଗୁଡ଼ିକୁ ସଜାଡ଼ିବାରେ ସାହାଯ୍ୟ କରେ। ଏହି ଲଙ୍କା ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା ଆମର ପାଚକ ରସ ଏବଂ ଲାଳ ଉପଯୁକ୍ତ ଭାବରେ କ୍ଷରଣ ହୁଏ। ତେଣୁ ନିୟମିତ ଭାବରେ ଅଳ୍ପ ପରିମାଣର ଲଙ୍କା ସେବନ କରିବା ପାଇଁ ଉପଦେଶ ଦିଆଯାଏ। ଏ ଲଙ୍କାଟି ବିଷୟରେ ଏତେ କଥା ଜାଣିବା ପରେ ମୋତେ ଲାଗୁଛି ରାଗ ଖାଇବା ଲୋକମାନଙ୍କ ପାଇଁ ଗୋଟିଏ ବହୁତ ବଢ଼ିଆ ଜିନିଷ ମିଳିଗଲା।

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x