
ଆଜି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବରେ ଶ୍ରଦ୍ଧା କପୁର ବହୁତ ନାଁ କମାଇଛନ୍ତି l ତାଙ୍କର ପିତା ହେଉଛନ୍ତି ଜନଶୁଣା ଅଭିନେତା ଶକ୍ତି କପୁର l ଶ୍ରଦ୍ଧା କିନ୍ତୁ ବାପାଙ୍କ ପରିଚୟରେ ଜିଇଁବାକୁ ଚାହାଁନ୍ତି ନାହିଁ l ସେ ଆଜି ନିଜେ ହିଁ ନିଜର ପରିଚୟ ସୃଷ୍ଟି କରିଛନ୍ତି l ଯଦିଓ ସେ ଜଣେ ଷ୍ଟାର୍ କିଡ଼୍ ଭାବରେ ଅଭିନୟ ଜଗତରେ ପାଦ ଥାପିଥିଲେ ବି ସେ ନିଜର ଆକର୍ଷଣୀୟ ଅଭିନୟ ଯାଦୁରେ ଯୁବବର୍ଗର ମନ ମୋହୁଛନ୍ତି l ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ଯଥେଷ୍ଟ ବ୍ୟବସାୟିକ ସଫଳତା ଅର୍ଜନ କରୁଛି l ଆସନ୍ତୁ ଜାଣିବା ଶ୍ରଦ୍ଧାଙ୍କ ବିଷୟରେ କିଛି ରୋଚକ ତଥ୍ୟ;
ଶ୍ରଦ୍ଧା କପୁରଙ୍କ ପିତା ଶକ୍ତିକପୁର ପଞ୍ଜାବୀ ହୋଇଥିବା ବେଳେ ମା ଶିବାଙ୍ଗୀ କୋହ୍ଲାପୁରେ ହେଉଛନ୍ତି ମରାଠୀ l ଶ୍ରଦ୍ଧାଙ୍କର ଜନ୍ମସ୍ଥାନ ମୁମ୍ବାଇ l ଶ୍ରଦ୍ଧା କପୁରଙ୍କ ବଡ଼ ଭାଇଙ୍କ ନାମ ସିଦ୍ଧାନ୍ତ କପୁର l
ଜଣେ ସଫଳ ଅଭିନେତ୍ରୀ ଛଡ଼ା ଶ୍ରଦ୍ଧା କପୁର ମଧ୍ୟ ଜଣେ ଗାୟିକା ଅଟନ୍ତି l ଉଲ୍ଲେଖନୀୟ ବ୍ୟବସାୟିକ ସଫଳତା ପାଇଥିବା ଚଳଚିତ୍ର “ଆଶିକୀ ୨” ରେ ନିଜ କଣ୍ଠସ୍ୱରର କିମିଆଁ ଦେଖାଇଛନ୍ତି l ପିଲାବେଳେ ଶ୍ରଦ୍ଧା କପୁର ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ l
ଶ୍ରଦ୍ଧା କପୁର ୨୦୧୦ ମସିହାରୁ ଏ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି l
୧୬ ବର୍ଷ ବୟସରେ ଶ୍ରଦ୍ଧାଙ୍କୁ ଅଭିନେତା ସଲମାନ ଖାଁଙ୍କ ସହିତ ଗୋଟିଏ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଆସିଥିଲା, କିନ୍ତୁ ନିଜର ପଢ଼ାପଢ଼ିରେ ବ୍ୟାଘାତ ସୃଷ୍ଟି ହେବ ବୋଲି ସେ ସେହି ଅଫରଟିକୁ ପ୍ରତ୍ୟାଖ୍ୟାନ କରିଥିଲେ l
ଶ୍ରଦ୍ଧାଙ୍କର ଇଛା ଥିଲା ପାଠପଢ଼ି ଜଣେ ମନସ୍ତତ୍ଵବିତ ହେବା ପାଇଁ l ସେ ବୋଷ୍ଟନ ୟୁନିଭର୍ସିଟିରେ ମନସ୍ତତ୍ଵ ବିଦ୍ୟାରେ ପଢ଼ୁଥିବା ସମୟରେ ଅଭିନୟର ସୁଯୋଗ ପାଇଥିଲେ ଏବଂ ଅଧାରୁ ପାଠ ଛାଡ଼ିଥିଲେ l
ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରଦ୍ଧା ୯୫% ନମ୍ବର ରଖିଥିଲେ ତଥାପି ସେ ନିଜକୁ ଜଣେ ମଧ୍ୟମ ବର୍ଗର ଶିକ୍ଷାର୍ଥୀ ବୋଲି କୁହନ୍ତି l ଶ୍ରଦ୍ଧା କୁହନ୍ତି ପୂର୍ବରୁ ତାଙ୍କର ପାଠପଢ଼ାରେ ବହୁତ ଭଲ ପ୍ରଦର୍ଶନ ନଥିଲା, କିନ୍ତୁ ପରେ ତାଙ୍କର ନିଜ ପ୍ରଚେଷ୍ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସେ ଭଲ ପ୍ରଦର୍ଶନ କରିଲେ l
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶ୍ରଦ୍ଧା କପୁର ତାଙ୍କର ପ୍ରଥମ ଚଳଚ୍ଚିତ୍ର ଅଫର୍ ଫେସବୁକ ମାଧ୍ୟମରେ ପାଇଥିଲେ l ଫେସବୁକରେ ତାଙ୍କର ଫଟୋକୁ ଦେଖି ପ୍ରଯୋଜକ ଅମ୍ବିକା ହିନ୍ଦୁଜା ତାଙ୍କୁ “ତିନ୍ ପତି” ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅଫର୍ ଦେଇଥିଲେ l
ଶ୍ରଦ୍ଧା କପୁର ୨୦୧୪ ମସିହାରେ ବିଶ୍ୱସ୍ତରୀୟ ପ୍ରସିଦ୍ଧ ପ୍ରସାଧନ କମ୍ପାନୀ ଲାକମେର ବ୍ରାଣ୍ଡ ଆମ୍ବାସଡର ହେବାର ସୁଯୋଗ ପାଇଥିଲେ l
ଚଳଚ୍ଚିତ୍ର ଅଭିନୟ ବାଦ ଶ୍ରଦ୍ଧା କପୁରଙ୍କର ନିଜସ୍ୱ ପୋଷାକ ବ୍ୟବସାୟ ରହିଛି l ଏହା ଇମାରା ନାମରେ ପ୍ରସିଦ୍ଧି ଲାଭ କରିଛି ଏବଂ ଏହି ଇମାରା ବ୍ରାଣ୍ଡ କେବଳ ମହିଳାମାନଙ୍କର ପୋଷାକ ବ୍ୟବସାୟ କରୁଛି l
ଶ୍ରଦ୍ଧା କପୁର ସର୍ବଦା ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରଖିଥାଆନ୍ତି l ଭାରତରେ ୧୨ ଗୋଟିଏ ରାଜ୍ୟର ୧୩ ହଜାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରୁଥିବା ଅକ୍ଷୟ ପାତ୍ର ସଂଗଠନକୁ ଶ୍ରଦ୍ଧା କପୁର ସାହାଯ୍ୟ ପାଣ୍ଠି ପ୍ରଦାନ କରନ୍ତି l ଦୀପାବଳୀ ସମୟରେ ସମାଜରେ ସଚେତନ ସୃଷ୍ଟି କରିବା ନିମନ୍ତେ ସେ ନିଜର ମତବ୍ୟକ୍ତ କରିଥାନ୍ତି l ସେ ତାଙ୍କର ପ୍ରଶଂସକ ତଥା ସମାଜର ସବୁସରଣୀର ବ୍ୟକ୍ତି ମାନଙ୍କୁ ପରିବେଶ ଅନୁକୂଳ ଦୀପାବଳୀ ପାଳନ କରିବାକୁ ଉପଦେଶ ଦିଅନ୍ତି l
ଶ୍ରଦ୍ଧା ହେଉଛନ୍ତି ଜଣେ ତାଲିମପ୍ରାପ୍ତ ସମୁଦ୍ର ବୁଡାଳୀ (ସ୍କୁବା ଡାଇଭର୍) l ସେ ମଧ୍ୟ ନିଜର ଚଳଚ୍ଚିତ୍ରର ସୁଟିଂ ସମୟରେ ବାସ୍ତବରେ ଏହିପରି କେତେକ ଦୃଶ୍ୟରେ ନିଜେ ଅଭିନୟ କରିଛନ୍ତି l
ଶ୍ରଦ୍ଧା କପୁର ନିଜେ କରୋନା ସଂକ୍ରମଣ ଏହି ସଙ୍କଟମୟ ଲକଡାଉନ୍ ମୁହୂର୍ତ୍ତରେ ସମସ୍ତ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ମାନିବାକୁ ଅନୁରୋଧ କରିଛନ୍ତି l ସମସ୍ତେ କିପରି ଏହି ସମୟରେ ନିଜର ପରିବାର ସହିତ ରହି ସୁସ୍ଥ ଜୀବନ ବିତାଇ ପାରିବେ ସେ ବିଷୟରେ ସେ ପରାମର୍ଶ ଦେଇଛନ୍ତିl