
ବିକାରଗସ୍ତ ମନ ପରମାତ୍ମାନୁଭୂତି କରିପାରିବ ନାହିଁ ।
ଯେଉଁମାନେ କାମ ସୁଖର ଉପଭୋଗ କରନ୍ତି ସେମାନେ ଯୋଗାଭ୍ୟାସ କରିପାରିବେ ନାହିଁ । ଭୋଗୀ ଯଦି ଯୋଗୀ ହୁଏ ତେବେ ସେ ରୋଗୀ ହୋଇଯିବ ।
ଜ୍ଞାନ ମାର୍ଗରେ ଯା’ର ପତନ ହୁଏ ସେ ନାସ୍ତିକ ହୁଏ । ଯୋଗମାର୍ଗରେ ଯା’ର ପତନ ହୁଏ ସେ ରୋଗୀ ହୁଏ । ଭକ୍ତି ମାର୍ଗରେ ଯା’ର ପତନ ହୁଏ ସେ ଆସକ୍ତ ହୁଏ । କଳିଯୁଗୀ ମାନବ କଠୋର ହଠ ଯୋଗ କରି ପାରିବ ନାହିଁ । ସବୁ ତ୍ୟାଗ କରି ଜଙ୍ଗଲକୁ ଯିବାର (ଅର୍ଥାତ୍ ସନ୍ୟାସ ନେବା) ଆବଶ୍ୟକତା ନାହିଁ ।
କେବଳ ଜଙ୍ଗଲକୁ ଚାଲିଗଲେ ଯେ ଆନନ୍ଦ ମିଳିବ ତାହା ନୁହେଁ ।ଗୋପୀମାନେ ଘର ଛାଡି ନଥିଲେ । ସେମାନେ ସ୍ବଧର୍ମ ତ୍ୟାଗ କରିନଥିଲେ । ସବୁ ପ୍ରକାର ଘରକାମ କରୁଥିଲେ । ଜଙ୍ଗଲକୁ ନଯାଇ ମଧ୍ୟ ଈଶ୍ୱରାନୁଭୂତି କରି ପାରିଥିଲେ । ସେମାନେ ଘରଗୃହସ୍ଥରେ ଥାଇ ମଧ୍ୟ ସମାଧିସ୍ଥ ଯୋଗୀ ଭଳି ଆନନ୍ଦ ପାଉଥିଲେ । ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଭକ୍ତିମୟ ଥିଲା ।
ସେମାନଙ୍କ ମନ ଈଶ୍ୱରୀୟ ପ୍ରେମରେ ଭରପୁର ଥିଲା । କାର୍ଯ୍ୟବ୍ୟବହାରରେ ମଧ୍ୟ ସେମାନେ ଈଶ୍ୱରଙ୍କୁ ମନରୁ ଦୂରେଇ ପାରୁନଥିଲେ । ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରଙ୍କୁ ନିଜ ପାଖରେ ଅନୁଭବ କରୁଥିଲେ । ଏଥିରୁ ଆମକୁ ଶିକ୍ଷା ମିଳେ ଯେ ଘରେ ରହିବା ପାପ ନୁହେଁ, କିନ୍ତୁ ଘରକୁ ମନରେ ରଖିବା ପାପ । ଘରେ ରହି ଓ ଶାରିରୀକ ପୋଷଣ ପାଇଁ କାର୍ଯ୍ୟ ବ୍ୟବହାର କରି ମଧ୍ୟ ଯେଉଁମାନେ ମନବୁଦ୍ଧିକୁ ଈଶ୍ୱରାର୍ପିତ କରି ଦିଅନ୍ତି ସେମାନେ ପରମାନନ୍ଦ ପ୍ରାପ୍ତ ହୁଅନ୍ତି ।
☘️🌸🙏ଜୟ ଜଗନ୍ନାଥ🙏🌸☘️