
ସ୍ଵନାମ ଗୋତ୍ର ତା ନଜାଣି। ଏ ତନୁ କେ ଅଛି ନିର୍ମାଣି।
ଏତେକ ଜାଣୁ ଆମ୍ଭେମାନେ। ସକଳେ ଅଛୁ ଏ ଭୁବନେ।
ଅପରେ ନ ଜାଣୁ ନା କିଛି। ଏ ପୁରେ କେ ମୋତେ ରଖିଛି।
ଦେଖ ଏ ଯେତେ ପରିଜନ। ଏ ମୋର ନୁହନ୍ତି ଅଭିନ୍ନ।
ଏହାଙ୍କ ନାମ କର୍ମ ଗୁଣ। ପୁଚ୍ଛିଲ ଶୁଣ ନୃପରାଣ।
ମୁଁ ଯେବେ ନିଦ୍ରାଗତ ହୋଇ। ଏ ସର୍ପ ପୁର ଜଗିଥାଇ।
ଏ ଆମ୍ଭ ପାଳକ ପୁରର। ସକଳ କାର୍ଯ୍ୟରେ ତତ୍ପର।
କରନ୍ତି ଆମ୍ଭ ଅନୁମତେ। ଯେ ଭୋଗବାଞ୍ଛା ଯାର ଚିତ୍ତେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଚତୁର୍ଥ ସ୍କନ୍ଧ, ପଞ୍ଚବିଂଶ ଅଧ୍ୟାୟ )
ପ୍ରସଙ୍ଗ :- ପୁରଞ୍ଜନ ଉପାଖ୍ୟାନ ।
ଅର୍ଥ :-
ଦେବର୍ଷି ନାରଦ ପ୍ରାଚୀନବର୍ହିଙ୍କୁ କହିଲେ, ହେ ରାଜନ୍ ! ରାଜା ପୁରଞ୍ଜନ ଯେତେବେଳେ ସେହି ସୁନ୍ଦରୀ ତରୁଣୀଙ୍କୁ ତାଙ୍କର ପରିଚୟ ଏବଂ ତାଙ୍କ ପରିଜନ ମାନଙ୍କର ନାମ, କର୍ମ ଏବଂ ଗୁଣ ବିଷୟରେ ପ୍ରଶ୍ନ କଲେ, ସେ କହିଲେ, ହେ ରାଜା ! ମୁଁ କାହାଠାରୁ ଜନ୍ମ ହୋଇଛି ସେକଥା ଜାଣେ ନାହିଁ। ମୁଁ ମୋର ନାମ ଓ ଗୋତ୍ର ମଧ୍ୟ ଜାଣେ ନାହିଁ।ଏହି ନଗରୀଟି ନିର୍ମାଣ କରି କିଏ ମୋତେ ଓ ମୋ ସହଚର ମାନଙ୍କୁ ଏଠାରେ ରଖିଛି ସେକଥା ମଧ୍ୟ ମୋତେ ଜଣା ନାହିଁ। କେବଳ ମୁଁ ଏତିକି ଜାଣେ ଯେ ଆମେମାନେ ଏହି ନଗରୀରେ ରହୁଛୁ।ଏହି ଯେଉଁ ପରିଜନ ମାନେ ମୋ ସହିତ ରହୁଛନ୍ତି ସେମାନେ ମୋ ଠାରୁ ଭିନ୍ନ ନୁହନ୍ତି। ସେମାନଙ୍କ ନାମ, କର୍ମ ଏବଂ ଗୁଣ ବିଷୟରେ ମୁଁ ତୁମକୁ କହୁଛି ଶୁଣ। ମୁଁ ନିଦ୍ରାଗତ ରହିଥିବା ସମୟରେ ମଧ୍ୟ ଏହି ସର୍ପ ଜାଗ୍ରତ ରହି ଏହି ନଗରୀକୁ ଜଗି ରହିଥାଏ। ସମସ୍ତ କାର୍ଯ୍ୟରେ ସର୍ବଦା କର୍ମ ତତ୍ପର ସେହି ସର୍ପ ଏହି ନଗରୀର ପାଳକ ଅଟେ। ଅନ୍ୟ ସମସ୍ତ ପରିଜନ ମାନେ ମୋର ଇଚ୍ଛା ଅନୁସାରେ ସମସ୍ତ ପ୍ରକାର ବିଷୟ ଭୋଗ ପ୍ରସ୍ତୁତ କରିଥାନ୍ତି।
ଭାବାର୍ଥ :-
ପ୍ରାଣବାୟୁ ଏହି ଶରୀରର ରକ୍ଷାକର୍ତ୍ତା ଅଟେ। ଅବିଦ୍ୟା ଓ ତାର ସହଚର ଇନ୍ଦ୍ରିୟ ମାନେ ଏହି ଶରୀରରେ ବାସ କରନ୍ତି। ଅବିଦ୍ୟା ଯୁକ୍ତ ହେବା ଯୋଗୁ ମାୟାରେ ମୋହିତ ହୋଇଥିବା ଜୀବ ମନରେ ଇନ୍ଦ୍ରିୟ ମାନେ ସର୍ବଦା ବିଷୟ ସୁଖ ଭୋଗ ନିମନ୍ତେ କାମନା ସୃଷ୍ଟି କରିଥାନ୍ତି। ସେଥିପାଇଁ ସେ ଈଶ୍ୱରଙ୍କୁ ଭଜନ ନକରି ବିଷୟ ସୁଖ ଭୋଗ ପଛରେ ସବୁବେଳେ ଧାଇଁଥାଏ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ୪୦୭ ।
🌸☘️🌼🙏ଜୟ ଜଗନ୍ନାଥ🙏🌼☘️🌸