
ଓଁ ନମୋ ଭଗବତେ ବାସୁଦେବାୟ
ସେ ରାଣୀ କରନ୍ତେ ରୋଦନ। ବେଳ ହୋଇଲା ଅବସାନ।
ଏ ବନଘୋରେ ସଙ୍ଗ ନାହିଁ। ରୋଦନ କାଳ ଏ ନୁହଁଇ।
ସତ୍ଵରେ ଉଠିଣ ତରୁଣୀ। ଶୁଷ୍କ ଇନ୍ଧନ ବେଗେ ଆଣି।
ଚିତା ସଂଯୋଗି ବେଗବନ୍ତେ। ସେ ବନେ ନିର୍ଜନ ଏକାନ୍ତେ।
ସ୍ଵାମୀଙ୍କି ତହିଁ ନିବେଶିଲା। ବିଧାନେ ମୁଖାଗ୍ନି ସେ ଦେଲା।
ଅନୁଗମନେ ଥିବା ପାଇଁ। ବସିଲା ସ୍ଵାମୀ ପଦ ଧ୍ୟାୟି।
ଅନଳ ପ୍ରଦକ୍ଷିଣ କଲେ। ସ୍ଵାମୀ ସଙ୍ଗତେ ଯିବାବେଳେ।
ଅଦ୍ଭୁତେ ବ୍ରାହ୍ମଣ ମିଳିଲେ। ସେ ତାର ପୂର୍ବେ ସଖା ଥିଲେ।
ସେ ବିପ୍ର ରାଣୀ ହସ୍ତ ଧରି। କହେ ପ୍ରବୋଧି ଶାନ୍ତ କରି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଚତୁର୍ଥ ସ୍କନ୍ଧ,ଅଷ୍ଟାବିଂଶ ଅଧ୍ୟାୟ )
ପ୍ରସଙ୍ଗ – ପୁରଞ୍ଜନ ଉପାଖ୍ୟାନ
ଅର୍ଥ –
ରାଜା ମଳୟଧ୍ଵଜଙ୍କ ମୃତ୍ୟୁର ଦୁଃଖରେ ଆତୁର ହୋଇ ରାଣୀ ବୈଦର୍ଭୀ କ୍ରନ୍ଦନ କରୁ କରୁ ବେଳ ଅବସାନ ହେବାକୁ ଲାଗିଲା। ସେହି ଘୋର ଜଙ୍ଗଲରେ ଆଉ କେହି ସାଥିରେ ନଥିବାରୁ ଏହା କାନ୍ଦିବାର ସମୟ ନୁହେଁ ବୋଲି ସେ ହୃଦୟଙ୍ଗମ କଲେ ଓ ତତକ୍ଷଣାତ୍ ଉଠି ଏକାକୀ ସେହି ନିର୍ଜନ ବନରେ ଶୁଖିଲା କାଠ ସଂଗ୍ରହ କରି ସ୍ଵାମୀଙ୍କ ପାଇଁ ଚିତା ସଜାଡିଲେ। ସେହି ଚିତାରେ ସ୍ଵାମୀଙ୍କର ଶବକୁ ରଖି ବିଧି ପୂର୍ବକ ମୁଖାଗ୍ନି ଦେବା ପରେ ସ୍ଵାମୀଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ସହିତ ସେହି ଅନଳରେ ସେ ଝାସ ଦେବାପାଇଁ ସ୍ଥିର କଲେ। କିନ୍ତୁ ଅଗ୍ନିକୁ ପ୍ରଦକ୍ଷିଣ କରି ସ୍ଵାମୀଙ୍କ ଚିତାନଳରେ ଝାସ ଦେବାକୁ ଯାଉଥିଲା ବେଳେ ଅକସ୍ମାତ ସେଠାରେ ପୂର୍ବରୁ ତାଙ୍କର ବନ୍ଧୁ ଥିବା ଜଣେ ବ୍ରାହ୍ମଣ ଉପସ୍ଥିତ ହୋଇ ରାଣୀଙ୍କୁ ବୁଝାଇ ଶୁଝାଇ ଆଶ୍ଵାସନା ଦେଇ ଶାନ୍ତ କରିବାକୁ ଚେଷ୍ଟା କଲେ।
ଭାବାର୍ଥ –
ନିଜର ପ୍ରକୃତ ବନ୍ଧୁ ଭଗବାନଙ୍କୁ ଭୁଲି ବିଷୟ ସୁଖ ଭିତରେ ବୁଡ଼ି ରହିବା ଯୋଗୁ ଜୀବ ବିଭିନ୍ନ ପ୍ରକାର ସାଂସାରିକ ଦୁଃଖ ଓ କଷ୍ଟ ଭୋଗ କରିଥାଏ। ସେହି ଭଗବାନଙ୍କ କରୁଣା ହେଲେ ଜୀବ ଆତ୍ମଜ୍ଞାନ ପ୍ରାପ୍ତ ହୋଇ ନିଜର ପ୍ରକୃତ ସ୍ଵରୂପକୁ ଜାଣିବା ଦ୍ଵାରା ସାଂସାରିକ ଦୁଃଖ ଓ କଷ୍ଟରୁ ମୁକ୍ତି ପାଇଥାଏ। ପୂର୍ବ ଜନ୍ମରେ ଯେଉଁ ଜୀବ ପୁରଞ୍ଜନ ରାଜା ହୋଇ ନିଜର ଯେଉଁ ପ୍ରକୃତ ବନ୍ଧୁ ପରମାତ୍ମା ପରମେଶ୍ଵରଙ୍କୁ ଭୁଲି ବିଷୟ ସୁଖ ଭିତରେ ବୁଡ଼ି ରହିବା ଯୋଗୁ ଆପଣାର କର୍ମ ଦୋଷରୁ ପରଜନ୍ମରେ ରାଣୀ ବୈଦର୍ଭୀ ହୋଇଥିଲା ସେହି ଜୀବ ନିଜକୁ ରାଣୀ ମନେକରି ରାଜା ମଳୟଧ୍ଵଜଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ତାଙ୍କ ଚିତାନଳରେ ଝାସ ଦେବାକୁ ଯାଉଥିଲା ବେଳେ ଜୀବର ସେହି ପ୍ରକୃତ ବନ୍ଧୁ ପରମାତ୍ମା ତା ଭିତରେ ଥାଇ ତାକୁ ସଦଜ୍ଞାନ ପ୍ରଦାନ କରିବା ପୂର୍ବକ ତାକୁ ତାର ଆତ୍ମ ସ୍ଵରୂପ ବିଷୟରେ ସଚେତନ କରାଇ ତାହାକୁ ସେହି ଦୁଃଖରୁ ନିବୃତ୍ତ କରାଇଲେ।
🌸🙏ଶୁଭ ସକାଳ l ଜୟ ଜଗନ୍ନାଥ🙏🌸