
ଓଁ ନମୋ ଭଗବତେ ବାସୁଦେବାୟ
ଏ ପୁରେ ଯେତେକ ଅଛନ୍ତି। ଏ କେହି ଅନ୍ଧ ଯେ ନୁହଁନ୍ତି।
ନିର୍ବାକ ପେଶସ୍କୃତ ଦୁଇ। ଏ ଥାଇ ଅନ୍ଧ ରୂପେ ତହିଁ।
ଏକଇ ଅନ୍ଧେ ସେ ରାଜନ। କରଇ ଆଦାନ ପ୍ରଦାନ।
ଯେ ଆର ଅନ୍ଧ ତା ପୟର। ତହିଁ ଗମଇ ନୃପବର।
ସେ ରାଜା ଅନ୍ତପୁରେ ବସେ।ବିଷୁଚୀ ଘେନି ଥାଇ ପାଶେ।
ବିଷୁଚୀ ନାମେ ଯେହୁ ଏକ। ତାହାର ସର୍ବଦିଗେ ମୁଖ।
ନିତ୍ୟେ ସେ ରାଜା ସଙ୍ଗେ ଥାଇ। ଯେଣେ ପେଷଇ ତେଣେ ଯାଇ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଚତୁର୍ଥ ସ୍କନ୍ଧ, ପଞ୍ଚବିଂଶ ଅଧ୍ୟାୟ )
ପ୍ରସଙ୍ଗ :- ପୁରଞ୍ଜନ ଉପାଖ୍ୟାନ
ଅର୍ଥ :-
ମହାରାଜା ପୁରଞ୍ଜନ ସେହି ସୁନ୍ଦରୀ ତରୁଣୀଙ୍କ ସହିତ ଯେଉଁ ପୁରରେ ବାସ କରୁଥିଲେ ସେହି ପୁରରେ ଦୁଇ ଜଣଙ୍କୁ ଛାଡିଦେଲେ ଅନ୍ୟ କେହି ଅନ୍ଧ ନଥିଲେ। ଯେଉଁ ଦୁଇଜଣ ଅନ୍ଧ ଥିଲେ ସେମାନଙ୍କ ନାମ ନିର୍ବାକ ଓ ପେଶସ୍କୃତ ଥିଲା।ପେଶସ୍କୃତ ସାହାଯ୍ୟରେ ରାଜା ପୁରଞ୍ଜନ ସମସ୍ତ ପ୍ରକାର କର୍ମ ସମ୍ପାଦନ କରିବା ସହିତ ସବୁକିଛି ଆଦାନ ପ୍ରଦାନ କରୁଥିଲେ ଏବଂ ନିର୍ବାକର ସହାୟତାରେ ସେ ନିଜର କାମ ପୂରଣ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିଲେ।ବିଷୁଚୀ ନାମକ ଯେଉଁ ପ୍ରଧାନ ସେବକ ରାଜାଙ୍କ ସହିତ ଅନ୍ତପୁରରେ ରହୁଥିଲା ସେ ସବୁ ଆଡ଼କୁ ଯିବା ଆସିବା କରି ପାରୁଥିଲା। ସେ ନିରନ୍ତର ରାଜାଙ୍କ ସହିତ ଅନ୍ତପୁରରେ ରହୁଥିଲା ଏବଂ ଯେଉଁ ଆଡ଼କୁ ଯିବାକୁ ଚାହିଁଲେ ସେ ରାଜାଙ୍କୁ ସବୁ ଆଡ଼କୁ ନେଇ ଯାଇ ପାରୁଥିଲା। ତେଣୁ ରାଜା ତାକୁ କ୍ଷଣେ ମାତ୍ର ବି ନିଜ ପାଖରୁ ଛାଡ଼ୁ ନଥିଲେ।
ଭାବାର୍ଥ :-
ଜୀବ ବାସ କରୁଥିବା ଏହି ଶରୀରରେ ହାତ ଓ ଗୋଡ଼ ଯେଉଁ ଦୁଇଟି କର୍ମେନ୍ଦ୍ରିୟ ଅଛି ସେମାନେ ଅନ୍ଧ ଅଟନ୍ତି କାରଣ ଅବିଦ୍ୟା ଯୁକ୍ତ ହୋଇ ମାୟାରେ ମୋହିତ ହୋଇଥିବା ଜୀବ ନିଜର ବିଷୟ ବାସନା ପୂରଣ କରିବା ପାଇଁ ଯେଉଁ ସବୁ କାର୍ଯ୍ୟ କରିବାକୁ ଚାହେଁ ହାତ ସେସବୁ କାର୍ଯ୍ୟକୁ ବିନା ଦ୍ବିଧାରେ ସମ୍ପାଦନ କରିଥାଏ ଏବଂ ନିଜର କାମନା ପୂରଣ ନିମନ୍ତେ ଜୀବ ଯେଉଁ ଆଡେ ଯିବାକୁ ଚାହିଁଲେ ଗୋଡ଼ ତାକୁ ବିନା ବିଚାରରେ ସେ ସ୍ଥାନକୁ ନେଇ ଯାଇଥାଏ। ସମସ୍ତ ଇନ୍ଦ୍ରିୟ ମାନଙ୍କର ରାଜା ମନ ଜୀବର ପ୍ରଧାନ ସେବକ ଅଟେ।ଏହା ଜୀବ ସହିତ ସଦା ସର୍ବଦା ରହିଥାଏ। ସ୍ବଭାବତଃ ଏହା ଅତ୍ୟନ୍ତ ଚଞ୍ଚଳ ଓ ସବୁଠାରୁ ବେଗବାନ୍ ଅଟେ।ଏହା ଯେ କୋୖଣସି ସ୍ଥାନକୁ ଯାଇ ଆସି ପାରେ। ଇନ୍ଦ୍ରିୟ ମାନଙ୍କ ଦ୍ଵାରା କବଳିତ ଏହି ମନ ଅବିଦ୍ୟା ଯୁକ୍ତ ଜୀବକୁ ବିଭିନ୍ନ ପ୍ରକାର ବିଷୟ ଭୋଗ ପ୍ରତି ଆକୃଷ୍ଟ କରାଇ ତାକୁ ଈଶ୍ଵର ଚିନ୍ତନରୁ ଦୂରେଇ ଦେଇଥାଏ। ଏହା ଫଳରେ ଜୀବ ପ୍ରଭୁଙ୍କ କରୁଣାରୁ ବଞ୍ଚିତ ହୋଇ ଜନ୍ମ ବନ୍ଧନରୁ ମୁକ୍ତିଲାଭ କରି ପାରି ନଥାଏ। ତେଣୁ ସାଧନା ମାଧ୍ୟମରେ ମନକୁ ନିଜ ନିୟନ୍ତ୍ରଣରେ ରଖି ପାରିଲେ ବିଷୟ ବାସନାରୁ ନିବୃତ୍ତ ହୋଇ ଜୀବ ନିଜକୁ ଈଶ୍ଵରାଭିମୁଖୀ କରାଇ ପାରିବ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ୪୧୭ ।
☘️🌸🙏ଜୟ ଜଗନ୍ନାଥ🙏🌸☘️