ଶ୍ରୀମଦ୍ ଭାଗବତ୍ ମହାପୁରାଣ କଥା

Bhagvat Gita in Odia
Reading Time: 2 minutes

🙏କପିଳ ଦେବହୂତୀ ସମ୍ବାଦ (୧)🙏

ସଂସାର ର ମଙ୍ଗଳ କାମନା ତଥା ଆତ୍ମକଲ୍ଯାଣକାରୀ ପ୍ରଶ୍ନର ଶ୍ରବଣରେ ଭଗବାନ କପିଳ ପ୍ରସନ୍ନ ହୋଇଗଲେ।

ମା ଆପଣ ପ୍ରଥମେ ସ୍ଥିର ନିଶ୍ଚିତ ହୁଅନ୍ତୁ ଆଧ୍ଯାତ୍ମ ଯୋଗ ହିଁ ମନୁଷ୍ୟ ପାଇଁ ପରମ କଲ୍ୟାଣକାରୀ ସାଧନା ଅଟେ। ଏହା ମନୁଷ୍ୟ କୁ ପାର୍ଥିବ ସୁଖ ଦୁଃଖ ର ନିବୃତ୍ତି କରାଇ ପରମାନନ୍ଦ ପ୍ରାପ୍ତି ପାଇଁ ଅଭିପ୍ରେତ କରାଏ।ହେ ସାଧ୍ୱୀ ମନଦେଇ ଆପଣଙ୍କ ପ୍ରଶ୍ନର ଉତ୍ତର ଶ୍ରବଣ କରନ୍ତୁ।

“ମନ” ହିଁ ଜୀବର ବନ୍ଧନ ଓ ମୋକ୍ଷର କାରଣ ଅଟନ୍ତି। ଯଦି ମନ ବହିର୍ମୁଖୀ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ବିଷୟରେ ଆସକ୍ତ ହୋଇଗଲା ତାହା ବନ୍ଧନର କାରଣ ହୋଇଥାଏ। ମନ ବୁଦ୍ଧି ଦ୍ବାରା ପ୍ରେରିତ ହୋଇ ଇନ୍ଦ୍ରିୟ ମାନଙ୍କୁ ଅନ୍ତର୍ମୁଖୀ କରି ପରମାତ୍ମା ଙ୍କ ପ୍ରତି ଅନୁରକ୍ତ ହେଲେ ଏହା ମୋକ୍ଷର କାରଣ ହୋଇଥାଏ।

ବିଷୟା ରତ ଚିତ୍ତ ଯେବେ। ଜୀବର ବଦ୍ଧ ଭାବ ତେବେ।।
ଇଶ୍ବରେ ଦେଲେ ସେହି ଚିତ୍ତ।ବନ୍ଧନୁ ହୁଅଇ ମୁକତ।।

ଆପଣ ଙ୍କ ପ୍ରଶ୍ନ ଅନୁସାରେ ମୁଁ ଓ ମୋର ଭାବନା ରୁ କାମ, କ୍ରୋଧ,ମଦ,ଲୋଭ ଇତ୍ୟାଦି ବିକାର ର ବନ୍ଧନରେ ପଡ଼ିଥାଏ। ମାତ୍ର ମନ ଯେତେବେଳେ ବିକାର ମୁକ୍ତିଲାଭ କରି ଶୁଦ୍ଧ ପବିତ୍ର ହୋଇଯାଏ ଲୌକିକ ସୁଖ ଦୁଃଖ ରୁ ମୁକ୍ତ ହୋଇ ଏକ ସ୍ଥିର ଅବସ୍ଥା ବା ସମସ୍ଥିତି ରେ ପହଞ୍ଚି ଥାଏ।

ଜ୍ଞାନ ବୈରାଗ୍ୟଯୁକ୍ତେନ ଭକ୍ତି ଯୁକ୍ତେନ ଚାତ୍ମନା।
ପରିପଶ୍ଯୁତ୍ଯୁଦାସୀନଂ ପ୍ରକୃତିଂ ଚ ହତୌଜସମ୍।। ୧୮/୨୫/୩ ( ମୂଳ ଭାଗବତ )

ସମସ୍ଥିତି ରେ ଥିବା ମନ ହୃଦୟ ରେ ଜ୍ଞାନ, ବୈରାଗ୍ୟ ଓ ଭକ୍ତି ଯୁକ୍ତ ହୋଇଯାଏ। ଏବଂ ସେ ଅନୁଭବ କରେ ସ୍ବୟଂ ଆତ୍ମା ହେଉଛନ୍ତି ପ୍ରକୃତିର ଉର୍ଦ୍ଧ୍ବ ରେ, ଅଦ୍ୱିତୀୟ , ପ୍ରଭେଦରହିତ , ସ୍ବୟଂ ପ୍ରକାଶ, ସୁକ୍ଷ୍ମ, ଅଖଣ୍ଡ,ଓ ଉଦାସୀନ।ସେ ଉପଲବ୍ଧି କରେ ପ୍ରକୃତି ଶକ୍ତିହୀନ।ମା ଭଗବତ୍ ପ୍ରାପ୍ତି ପାଇଁ ଯୋଗୀ ମାନଙ୍କ ନିମନ୍ତେ ସର୍ବଆତ୍ମା ରୁପେ ବିଦ୍ୟମାନ ଶ୍ରୀହରି ଙ୍କ ପ୍ରତି ଭକ୍ତି ହିଁ ସର୍ବଶ୍ରେଷ୍ଠ ମଙ୍ଗଳମୟ ମାର୍ଗ ଅଟନ୍ତି। ସଙ୍ଗ ବା ଆସକ୍ତି ମନକୁ ସ୍ଥିର ବା ଅସ୍ଥିର କରିପାରନ୍ତି। ମନୁଷ୍ୟ ବା ଜୀବ ଯେତେବେଳେ ମହାପୁରୁଷଙ୍କ ସଙ୍ଗ ପାଇ ସେମାନଙ୍କ ଶାନ୍ତ, ସହନଶୀଳତା,ଦୟାଳୁ, ପରୋପକାର,ସର୍ବଜନ ହୀତାକାଂକ୍ଷୀ ସ୍ବଭାବ ଦେଖି ସେମାନଙ୍କ ଠାରୁ ଭଗବାନଙ୍କ କଥା ଲୀଳା ମାନଙ୍କୁ ଅନୁଭବ ମିଶ୍ରିତ କଥାମୃତ ଶ୍ରବଣାନ୍ତେ ତା ମନରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭାବ ଜାତ ହୁଏ।ଭବବନ୍ଧନ ରୁ ମୁକ୍ତିଲାଭ ର ମାର୍ଗ ସୁଗମ ହୋଇଯାଏ।କୁସଙ୍ଗ ଜୀବ କୁ ନର୍କ ମାର୍ଗ କୁ ସହଜରେ ନେଇଯାଏ।

ଏ ଭବ ଜଳଧି ତରଙ୍ଗ। ହରଇ ସାଧୁଙ୍କର ସଙ୍ଗ।।
ଭଜଇ କୈବଲ୍ୟ କାରଣେ।ମନ ନ ଭ୍ରମେ ଭବବଣେ।।

ଶୁଣି ଶୁଣାଇ ଅଶ୍ରୁଧାରେ। ଆନନ୍ଦେ ପୁଲକ ଶରୀରେ।।
ନିରତେ ଶ୍ରଦ୍ଧା ଭକ୍ତି ବଢେ। ଭବ ବନ୍ଧନ ପାଶ ଛିଡେ।।

ହେ ମା ଅନେକ ଜନ୍ମର ସୁକୃତରୁ ଜୀବ ମନରେ ଶ୍ରଦ୍ଧା ଜାଗ୍ରତ ହୋଇଥାଏ। ଭଗବତ୍ ଚରଣେ ଶ୍ରଦ୍ଧା ରହିବା କାରଣରୁ ତାର ଭଗବାନଙ୍କ ଗୁଣ, କର୍ମ ,ଲୀଳା ଶ୍ରବଣାନ୍ତେ ତାଙ୍କ ଠାରେ ରତି ସୃଷ୍ଟି ହୁଏ।ରତି ବଢି ବଢି ତା ମନରେ ଶୁଦ୍ଧ ବୈରାଗ୍ୟ ପ୍ରକାଶ ହୁଏ। ଅନେକ ଜନ୍ମର ବନ୍ଧନ ର ଗ୍ରନ୍ଥି କୁ ବୈରାଗ୍ୟ, ଜ୍ଞାନ ଓ ଭକ୍ତି ବଳରେ ନାଶ ହୋଇଯାଏ।

ଜ୍ଞାନ ବୈରାଗ୍ୟ ଭକ୍ତି ବଳେ।ସକଳ ସମର୍ପେ ମୋ ଠାରେ।
ମୋ ନାମ ନାବ କରି ଭବେ।ବସି ତରିବୁ ଭକ୍ତି ଭାବେ।।

ମା ସତସଙ୍ଗ ରେ ଭକ୍ତ ଙ୍କ ସାଙ୍ଗରେ ମୋ ନାମ ରୂପକ ଡଙ୍ଗା ରେ ଆଶ୍ରିତ ହୋଇ ସେମାନଙ୍କ ସହ ବଳବତ୍ତର ବିଶ୍ବାସ ବସି ଭବସାଗରକୁ ତରିବା ପାଇଁ ଭରଷା ସୃଷ୍ଟି ହେବ।

ଯେଣୁ ଭକତ ପ୍ରିୟ ହରି।ତା ଭାବେ ଭବସିନ୍ଧୁ ତରି।।

ମା ପୁନଃ ପଚାରିଲେ ଭକ୍ତି ର ବିକାଶ ମୋ ପରି ସ୍ତ୍ରୀ ର କିପରି ହେବ? ଭକ୍ତି ରେ କିପରି ମୋର ମୁକ୍ତିଲାଭ ହେବ?

ଭଗବାନ କପିଳ ହସିଦେଇ କହିଲେ ମା ମୋ ଚରଣେ ଯାହାର ମନ ଅଭିନିବିଷ୍ଟ।ତାର ଉଭୟ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ସ୍ବଭାବିକ ଭାବରେ ମୋ ଅଭିମୁଖୀ ହୋଇଯିବା ହିଁ ହେଉଛି ଅହୈତୁକୀ ଭକ୍ତି। ଏହି ବନ୍ଧନରେ ମୁଁ ଏପରି ଭକ୍ତ ଦ୍ଵାରା ବାନ୍ଧି ହୋଇଯାଏ ମୁଁ ତାର ଜାତି, ଧର୍ମ, ବର୍ଣ୍ଣ, ପୁରୁଷ, ସ୍ତ୍ରୀ, ଇତ୍ୟାଦି କୁ ନ ଦେଖି ତା ଭାବରେ ବାନ୍ଧି ହୋଇ ସ୍ବତନ୍ତ୍ର ମହାଶକ୍ତି ଭକ୍ତ ନିକଟରେ ପରତନ୍ତ୍ର ହୋଇଯାଏ।ସେ ଏପରି ମୋତେ ପ୍ରେମ କରେ ମୁକ୍ତି ବି ଆବଶ୍ୟକ କରେନାହିଁ। କେବଳ ମୋ ସ୍ମରଣ ଭଜନ ରେ ସେ ପରମାନନ୍ଦ ଲାଭକରେ।ସେ ମୋତେ ସବୁ ସମର୍ପିତ କରି ମୋତେ ପିତା ମାତା ପୁତ୍ର ଧନ ସମ୍ପତ୍ତି ଇତ୍ୟାଦି ସର୍ବଭାବରେ ଗ୍ରହଣ କରିଦିଏ।

ସେ ବସ୍ତୁତଃ ଅନୁଭବ କରେ ମୋ ଛଡା କେହି ନାହାନ୍ତି। ସମସ୍ତ ଶକ୍ତି ରେ ମୋତେ ଅନୁଭବ କରି ତା ଓ ମୋ ମଧ୍ୟରେ ଅପୁର୍ବ ଦିବ୍ୟ ସମ୍ପର୍କ ସୃଷ୍ଟି ହୋଇଯାଏ।ସେ ମୋ ଠାରୁ କିଛି ଆବଶ୍ୟକ ନ କଲେ ବି ମୁଁ ପ୍ରେମ ରେ ତାକୁ ସବୁକିଛି ଦେଇ ଧନ୍ଯ କରିଦିଏ।ସେ ତ ମୁକ୍ତିଲାଭ ମୋକ୍ଷ ନିର୍ବାଣ ବି ଚାହେଁନା। କିନ୍ତୁ ସେ ଏହି ପବିତ୍ର ଭାବରେ ମୋତେ ପୂର୍ଣ୍ଣତ‍ଃ ନିଜର କରି ଧନ୍ୟ ହୋଇଯାଏ।

କ୍ରମଶଃ।

 

☘️🌸🌼 ଭାଗବତ ବାଣୀ🌼🌸☘️ଧର୍ମର ମର୍ଯ୍ୟାଦା ପ୍ରଣୟନ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.